୭୦୦ ପିଆଜ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ କୃଷିଜାତ ଦ୍ରବ୍ୟ ସାଇତି ରଖିବା ପାଇଁ ମୋଟ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏହି ୪୯ ଶୀତଳଭଣ୍ଡାରର ମୋଟ ସଂରକ୍ଷଣ କ୍ଷମତା ପ୍ରାୟ ୨ଲକ୍ଷ ୩୨ହଜାର ୮୮୦ମେଟ୍ରିକ୍‌ ଟନ୍‌। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଶୀତଳଭଣ୍ଡାର ମଧ୍ୟରୁ ୫ଟି ସରକାରୀ ଓ ୪୪ଟି ବେସରକାରୀ। ଏହାସହ ୪ଟି ନୂତନ ବେସରକାରୀ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଚାଲିଛି। ୨୦୨୦-୨୧ରେ ବେସରକାରୀସ୍ତରରେ ଆଉ ୨ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଅନୁମୋଦନ ଦିଆଯାଇଛି। ସେହିଭଳି ପିଆଜ ସାଇତି ରଖିବା ପାଇଁ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ୨୫ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ସ୍ବଳ୍ପମୂଲ୍ୟ ପିଆଜ ସାଇତା ଗୃହ(ଲୋ କଷ୍ଟ ଓନିଅନ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର) ନିର୍ମାଣ ପାଇଁ ରିହାତି ପ୍ରଦାନ କରାଯାଉଛି। ରିହାତି ପରିମାଣ ୫୦% ବା ସର୍ବାଧିକ ୮୭,୫୦୦ ଟଙ୍କା। ଏପର୍ଯ୍ୟନ୍ତ ରାଜ୍ୟରେ ୩୨୫୬ଟି ୨୫ମେଟ୍ରିକ ଟନ୍‌ କ୍ଷମତାବିଶିଷ୍ଟ ସ୍ବଳ୍ପମୂଲ୍ୟ ପିଆଜ ସାଇତା ଗୃହ ନିର୍ମାଣ କରାଯାଇ ୮୧,୪୦୦ ମେଟ୍ରିକ୍‌ ଟନ୍‌ ପିଆଜ ସଂରକ୍ଷଣ କ୍ଷମତା ସୃଷ୍ଟି କରାଯାଇପାରିଛି। ଚଳିତବର୍ଷ ରାଜ୍ୟରେ ୭୦୦ଟି ୨୫ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ପିଆଜ ସାଇତା ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।