କାଞ୍ଚିର ବରଦରାଜ ପେରୁମଲ ମନ୍ଦିର (କିମ୍ବା କାଞ୍ଚତ୍ପୁରମ୍)ରେ ଗୋଟିଏ ଅଜବ ଅଶ୍ୱାରୋହୀଙ୍କ ମୂର୍ତ୍ତି ରହିଛି। ଗୋଟିଏପଟୁ ଏହା ଦକ୍ଷିଣ ଭାରତର ନାୟକ ରାଜା ଭଳି ଦେଖାଯାଏ ଏବଂ ଅନ୍ୟପାଖରୁ ଟ୍ରାଉଜର ଓ ଟ୍ୟୁନିକ ପରିଧାନ କରିଥିବା ଜଣେ ବିଦେଶୀଙ୍କ ଭଳି ଲାଗେ। ସେ ଜଣେ ବିଦେଶୀ ମନ୍ଦିରରକ୍ଷକ ନା ଜଣେ ପର୍ତ୍ତୁଗୀଜ୍ କିମ୍ବା ତୁର୍କୀର ସୈନିକ। ଅଶ୍ୱାରୋହୀମାନେ ତାମିଲନାଡୁରେ ରବୁତାନ ଭାବେ ଜଣାଶୁଣା, ଯାହା ରାଜପୁତଙ୍କ ଶବ୍ଦ ଯଥା ରାଓ୍ବତ ଓ ରାଉତରୁ ଆସିଛି। ପଥର ଉପରେ ଖୋଦେଇ ହୋଇଥିବା ଏଭଳି ରକ୍ଷକ ମୂର୍ତ୍ତିଗୁଡ଼ିକ ବିଶେଷକରି ଆର୍କୋଟ ଓ ମହୀଶୂର ଅଞ୍ଚଳର ମନ୍ଦିରଗୁଡ଼ିକରେ ଦେଖିବାକୁ ମିଳେ। ଏଥିରୁ ସମ୍ଭବତଃ ‘ହର୍ସ ଡ୍ୟାନ୍ସ ବା ଘୋଡ଼ାନାଚ’ ସାମ୍ନାକୁ ଆସିଛି, ଯାହା ‘ପୋଇକ୍କଲ କୁଥିରାଇ ଅଟ୍ଟମ’ ଭାବେ ଜଣାଶୁଣା। ଏହା ସହ ଟେରାକୋଟା ଘୋଡ଼ା ମୂର୍ତ୍ତିଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଦେବୀ ଆୟାନାରଙ୍କୁ ସନ୍ତୁଷ୍ଟ କରିବାକୁ କରାଯାଇଛି।
ସପ୍ତଦଶ ଶତାବ୍ଦୀରେ ନାୟକ ବଂଶର ରାଜାମାନେ କରିଥିବା ପଥର ଖୋଦେଇ କଳାକୃତି ଆମକୁ ସ୍ମରଣ କରାଇଦିଏ ଯେ, ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କେନ୍ଦ୍ର ଏସିଆ, ପର୍ସିଆ ଏବଂ ଆରବ ଦେଶଗୁଡ଼ିକରୁ ଅତ୍ୟଧିକ ସଂଖ୍ୟକ ଘୋଡ଼ା ଭାରତ ଆମଦାନୀ କରୁଥିଲା। ତୁର୍କୀର ବିଲାୟତି (ବିଦେଶୀ) ଘୋଡ଼ା ଉତ୍ତରାଞ୍ଚଳରେ ଥିବା ମାର୍କେଟଗୁଡ଼ିକରୁ ସ୍ଥଳ ପଥ ଦେଇ ଭାରତକୁ ଆସିଥିଲା। ଉତ୍ତର ଭାରତର ରାଜାମାନେ ଦକ୍ଷିଣର ବିନ୍ଧ୍ୟ ପର୍ବତମାଳା ପାଦଦେଶରେ ଥିବା ଶତ୍ରୁ ରାଜାମାନଙ୍କୁ ଘୋଡ଼ା ଦେବାକୁ ମନା କରୁଥିଲେ। ଏଣୁ ଦକ୍ଷିଣର ରାଜାମାନେ ‘ବାହାରି’ ଆରବୀୟ ଘୋଡ଼ା ସମୁଦ୍ର ପଥରେ (ଆରବିକ ଶବ୍ଦ ‘ବାହା’ର ଅର୍ଥ ସମୁଦ୍ର) ଆମଦାନୀ କରୁଥିଲେ। ୩,୦୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭାରତକୁ ଘୋଡ଼ା ଆମଦାନୀ ହେଉଥିଲା। ରାଜ୍ୟ ଶାସନ ପାଇଁ ଏସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ସେମାନଙ୍କର ଚାହିଦା ମଧ୍ୟ ରହିଥିଲା। ଏହା ଜଣାଶୁଣା ଯେ, ଆମ ଦେଶରେ ଘୋଡ଼ା ପ୍ରଜନନ କଷ୍ଟକର ଏବଂ ଏଥିରୁ ବୁଝାପଡ଼ୁଛି ଯେ, ପ୍ରତିବର୍ଷ ଘୋଡ଼ା ଆମଦାନୀ କରିବା ଆବଶ୍ୟକ ହେଉଥିଲା। ତେବେ ୮୦୦ ବର୍ଷ ପୂର୍ବେ ଗୁଜରାଟ ଓ ରାଜସ୍ଥାନର କେତେକ ଅଞ୍ଚଳରେ ଘୋଡ଼ା ପ୍ରଜନନ ଆରମ୍ଭ ହୋଇଥିଲା। ମଙ୍ଗୋଲୀୟଙ୍କ ଆକ୍ରମଣ ପରେ କେନ୍ଦ୍ର ଏସିଆରୁ ଘୋଡ଼ା ଆମଦାନୀ ବନ୍ଦ ହେବା ପରେ ଦିଲ୍ଲୀର ସୁଲତାନମାନଙ୍କ ଚାହିଦା ପୂରଣ କରିବା ସକାଶେ ଏହା କରାଯାଇଥିଲା। ତେବେ ତୁର୍କୀ ଓ ତାଜିକ୍ସ୍ତାନର ବିଦେଶୀ ଘୋଡ଼ା ତୁଳନାରେ ସ୍ଥାନୀୟ ପ୍ରଜାତିର ଘୋଡ଼ା (ଯଥା ଟାଟୁ) ନିରସ ଥିଲା। ଘୋଡ଼ା ପ୍ରଜନନ କରାଯାଉଥିବା ଅନେକ ଅଞ୍ଚଳ ମଧ୍ୟରେ କାଠିଆଓ୍ବାଡ଼ା ଥିଲା ଗୋଟିଏ, ଯେଉଁଠି ବିଦେଶୀ ପ୍ରଜାତିର ଘୋଡ଼ା ପ୍ରଜନନ ସଫଳ ହୋଇପାରିଥିଲା।
ଋକ୍ବେଦରେ ଘୋଡ଼ା ସମ୍ପର୍କରେ କିଛି ପଂକ୍ତି ରହିଛି, ଯାହା ବିଶ୍ୱରେ ସର୍ବପୁରାତନ। ୨୦୦ ଥର ଘୋଡ଼ା ବିଷୟରେ ସୂଚିତ କରାଯାଇଛି। ଏହା ଦର୍ଶାଉଛି ଯେ, କବିମାନେ ଦୂରଦୂରାନ୍ତ ଦେଶଗୁଡ଼ିକରୁ ଭାରତୀୟ ଉପମହାଦେଶକୁ ଆମଦାନୀ କରାଯାଉଥିବା ଏହି ବିଦେଶୀ ପ୍ରାଣୀଙ୍କ ସମ୍ବନ୍ଧରେ ଭଲ ଭାବେ ଅବଗତ ଥିଲେ। ହରପ୍ପାର ସହରଗୁଡ଼ିକରେ ଘୋଡ଼ା ନ ଥିଲେ, କାରଣ ଏହିସବୁ ସହର ଯେତେବେଳେ ଗଢ଼ି ଉଠିଥିଲା, ସେତେବେଳେ ସେଠାରେ ଘୋଡ଼ା ପାଳନ କରାଯାଉ ନ ଥିଲା। ତାମ୍ରଯୁଗରେ ଇଜିପ୍ଟ, ମେସୋପୋଟାମିଆ, ଚାଇନା କିମ୍ବା ଭାରତର ହରପ୍ପା ସଭ୍ୟତାରେ ଆମେ ଘୋଡ଼ା ଦେଖିବାକୁ ପାଇନାହଁୁ। ତେବେ ଲୌହଯୁଗରେ ଘୋଡ଼ାଟଣା ରଥଗୁଡ଼ିକ ସବୁଠି ଦେଖିବାକୁ ମିଳିଥିଲା, ଯାହା ପୁରାତନ ଇଜିପ୍ଟ, ପୁରାତନ ଗ୍ରୀସ୍ ଏବଂ ଚାଇନାର ସମାଧି ସ୍ଥଳଗୁଡ଼ିକରେ ଥିବା କଳାକୃତିଗୁଡ଼ିକରୁ ସୂଚନା ମିଳେ। ଘୋଡ଼ା ଯେତେବେଳେ ଭାରତକୁ ଆସିଲା, ସେତେବେଳେ ସେମାନଙ୍କ ସମ୍ପର୍କରେ ବୈଦିକ ସ୍ତୋତ୍ରଗୁଡ଼ିକରେ ଉଲ୍ଲେଖ କରାଯାଇଥିଲା।
ଏବେ ଜେନେଟିକ୍ ବା ଆନୁବଂଶିକ ପ୍ରମାଣରୁ ଜଣାପଡ଼େ ଯେ, ଖ୍ରୀଷ୍ଟପୂର୍ବ ୨୦୦୦ରେ କୃଷ୍ଣ ସାଗରର ଉତ୍ତର ଭାଗରେ ଘୋଡ଼ା ପାଳନ କରାଯାଉଥିଲା। ଏମାନଙ୍କ ଆକାର ଅତି ଛୋଟ ଥିଲା ଏବଂ ତା’ ଉପରେ ବସି ଯାତାୟାତ କରିବା ସମ୍ଭବ ନ ଥିଲା। ସେମାନେ ମଧ୍ୟ ଓଜନିଆ ଗାଡ଼ି ଟାଣି ପାରୁ ନ ଥିଲେ। ଏଣୁ ଏହା ହାଲୁକା ରଥ ଆବିଷ୍କାର କରିବା ପାଇଁ ବାଟ ଦେଖାଇଲା। ଏହି କ୍ରମରେ ରଥୀ ଓ ସାରଥି ଦୁଇ ଜଣ ବସି ପାରୁଥିବା ହାଲୁକା ସ୍ପୋକ୍ଲଗା ଚକଯୁକ୍ତ ରଥ ତିଆରି ହୋଇପାରିଲା। ଏହା ଥିଲା ସେ ସମୟର ସବୁଠୁ ବଡ଼ ମିଲିଟାରୀ ଉଦ୍ଭାବନ। ମହାଭାରତରେ ଏଭଳି ରଥ ସ୍ମରଣୀୟ ହୋଇ ରହିଛି। କୁରୁକ୍ଷେତ୍ରରେ ୪ଟି ଘୋଡ଼ା ଟାଣୁଥିବା ରଥରେ କୃଷ୍ଣ ଓ ଗାଣ୍ଡିବ ଧନୁର୍ଦ୍ଧାରୀ ଅର୍ଜୁନ ବସିଥିବା ଦେଖିବାକୁ ପାଉଛୁ।
ଖ୍ରୀଷ୍ଟପୂର୍ବ ୭୦୦ ପାଖାପାଖି ଘୋଡ଼ା ଟାଣୁଥିବା ରଥାରୋହୀ ଧାରାରେ ପରିବର୍ତ୍ତନ ଆସି ଅଶ୍ୱାରୋହୀ ଟ୍ରେଣ୍ଡ୍ ପ୍ରବେଶ କରିଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ ୩୩୧ରେ ରଥ ଉପରେ ବସି ଯୁଦ୍ଧ କରୁଥିବା ପାରସ୍ୟର ସମ୍ରାଟ୍ଙ୍କୁ ଅଶ୍ୱାରୋହୀ ଆଲେକ୍ଜାଣ୍ଡର ପରାସ୍ତ କରିବା ପରେ ଅଶ୍ୱାରୋହଣ ସାଧାରଣ ଭାବେ ଗ୍ରହଣୀୟ ହୋଇଗଲା। ଖ୍ରୀଷ୍ଟପୂର୍ବ ୨୦୦ରୁ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ୟରେ ଇଣ୍ଡୋ-ଗ୍ରୀକ୍ (ଯବନ), ସାକ-ପଲଭ (ସ୍କିଥିଆନ୍- ପାର୍ଥିଆନ୍) ଏବଂ କୁଶାଣ (ୟୁଜେହି)ମାନେ ଘୋଡ଼ା ବ୍ୟବସାୟକୁ ନିୟନ୍ତ୍ରଣ କରୁଥିଲେ। ମୌର୍ଯ୍ୟ ବଂଶର ରାଜାମାନେ ଘୋଡ଼ା ଆମଦାନୀ କରିବା ସହ ହାତୀ ରପ୍ତାନି କରୁଥିଲେ। ରାଜକୁମାର ସିଦ୍ଧାର୍ଥ ଘୋଡ଼ା ଚଢ଼ି ରାଜପ୍ରାସାଦ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ମହାଭାରତ ଓ ରାମାୟଣରେ କୌଣସି ଅଶ୍ୱାରୋହୀ ନାହାନ୍ତି, ଯାହା ସୂଚିତ କରେ ଯେ ଏହି କାବ୍ୟ ହେଉଛି ଅତି ପୁରୁଣା କାହାଣୀଗୁଡ଼ିକର ସମାହାର, ଯଦିଓ ଏହାର ବହୁ ପୂର୍ବରୁ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଲେଖାଯାଇଥିଲା।
ଯଦି କେହି ସାଞ୍ଚତ୍ ଓ ଭାରହୁତ ଯାତ୍ରା କରନ୍ତି, ତେବେ ସେଠାକାର ବୌଦ୍ଧ ସ୍ଥଳଗୁଡ଼ିକରେ ପୁରୁଷମାନେ ଘୋଡ଼ା ଚଢ଼ୁଥିବାର ମୂର୍ତ୍ତିଗୁଡ଼ିକ ଦେଖିବାକୁ ପାଇବେ। ସେମାନେ ସାଡଲ ଏବଂ ଉଦ୍ଦିଷ୍ଟ ଫୁଟ୍ ଷ୍ଟିରୁପ (ପାଦ ରଖିବା ପାଇଁ ଲୌହ ଫନ୍ଦା) ନ ଥାଇ ଘୋଡ଼ା ଉପରେ ବସି ଯାଉଥିଲେ, ଯାହା ଆମେ ବରଦରାଜ ପେରୁମଲ ମନ୍ଦିରରେ ଥିବା ଅଶ୍ୱାରୋହୀଙ୍କ ମୂର୍ତ୍ତିରେ ଦେଖିବାକୁ ପାଉ। କିନ୍ତୁ ଏହି ଅଶ୍ୱାରୋହୀମାନେ ଟୋ-ଷ୍ଟିରୁପ ବା ଅଙ୍ଗୁଳି ରଖିବା ପାଇଁ ଫନ୍ଦା ବ୍ୟବହାର କରୁଥିଲେ। ଏହା ପରବର୍ତ୍ତୀ ସମୟରେ ଲୌହ ନିର୍ମିତ ଷ୍ଟିରୁପ ଏବଂ କାଠ ତିଆରି ସାଡଲ ଉଦ୍ଭାବନ କରାଯାଇଥିଲା, ଯାହାକୁ ଖ୍ରୀଷ୍ଟାବ୍ଦ ୧୦୦୦ ପରେ ତୁର୍କମାନେ ଭାରତକୁ ଆଣିଥିଲେ।
ବୋଧଗୟା ଭଳି ବୌଦ୍ଧସ୍ଥଳୀରେ ସୂର୍ଯ୍ୟ ଦେବତା ୪ଟି ଘୋଡ଼ା ଟାଣୁଥିବା ରଥରେ ବସିଥିବା ପ୍ରଥମେ ଦେଖିବାକୁ ମିଳିଥିଲା। ଏହା ଗ୍ରୀକ୍ର ସୂର୍ଯ୍ୟ ଦେବତାଙ୍କୁ ଅନୁସରଣ କରାଯାଇ ତିଆରି କରାଯାଇଥିଲା। ପୁରୁଣା ବୈଦିକ ଲେଖା (ଖ୍ରୀଷ୍ଟପୂର୍ବ ୧୦୦୦)ରେ ବର୍ଣ୍ଣତ ୭ଟି ଘୋଡ଼ାଟଣା ରଥରେ ସୂର୍ଯ୍ୟ ଦେବତା ବସିଥିବାର ଛବିଗୁଡ଼ିକ ଥିବାବେଳେ ସେଥିରେ ସେ ବୁଟ୍ ପିନ୍ଧିଥିବା ଦେଖାଯାଏ, ଯାହା କୁଶାଣଙ୍କ ପ୍ରଭାବ (ଖ୍ରୀଷ୍ଟାବ୍ଦ ୨୦୦)କୁ ସୂଚିତ କରେ। ସୂର୍ଯ୍ୟଙ୍କ ପୁତ୍ର ରେବନ୍ତଙ୍କୁ ସବୁବେଳେ ଜଣେ ଅଶ୍ୱାରୋହୀ ରୂପରେ ଦେଖିବାକୁ ମିଳେ, ଯାହାଙ୍କ ସହିତ ଗୋଟିଏ କୁକୁର ଓ ଶିକାରୀ ବାର୍ହାମାନେ ରହିଥାଆନ୍ତି। ତାଙ୍କ ମୂର୍ତ୍ତି ଛବିଗୁଡ଼ିକରେ ଲୌହ ଷ୍ଟିରୁପ ନାହିଁ। ଏଥିରୁ ବୁଝାପଡ଼ୁଛି ଯେ, ଏହିସବୁ ମୂର୍ତ୍ତିଗୁଡ଼ିକୁ ଖ୍ରୀଷ୍ଟାବ୍ଦ ୧୦୦୦ ପୂର୍ବେ ନିର୍ମାଣ କରାଯାଇଥିଲା। ବରଦରାଜ ପେରୁମଲ ମନ୍ଦିରରେ ମଧ୍ୟ ଲୌହ ଷ୍ଟିରୁପ ଦେଖିବାକୁ ପାଉ। ଏହିଭଳି ଆମେ ଘୋଡ଼ା କଳାର ଭାରତୀୟ ଇତିହାସ ଉପରେ ବିଦେଶୀ ପ୍ରଭାବ ପ୍ରସଙ୍ଗକୁ ପ୍ରକାଶ କରେ, ଯାହାକୁ ପାଠ୍ୟ ପୁସ୍ତକରେ ସ୍ଥାନିତ କରାଯିବା ଦରକାର।
-devduttofficial@gmail.com
Dharitri – Odisha’s No.1 Trusted Odia Daily

