Categories: ଫୁରସତ

ରାସ୍ତା ପଚାରିବା ବାହାନାରେ ଅସଦାଚରଣ କରୁଥିଲେ ଯୁବକ; ସ୍କୁଟିକୁ ଟାଣି ନାଳରେ ପକାଇଦେଲେ ଯୁବତୀ; ତା’ ପରେ..

ପ୍ରାୟ ପ୍ରତ୍ୟେକ ଦିନ ଭାରତରେ ଜଣେ ମହିଳା ଯୌନ ଉତ୍ପୀଡନ ତଥା ଅସଦାଚରଣର ଶିକାର ହୁଅନ୍ତି ବୋଲି କୁହାଯାଏ। ନିକଟରେ ଏଭଳି ଏକ ଘଟଣାକ୍ରମର ସାମ୍ନା କରିଛନ୍ତି ଗୁଆହାଟିର ଭାବନା କଶ୍ୟପ। ଜଣେ ଯୁବକ ରାସ୍ତା କେଉଁଆଡେ ପଚାରିବା ବାହାନାରେ ଭାବନାଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କୁ ପାନେ ଦେବାରେ ସଫଳ ହୋଇଛନ୍ତି।

ଘଟଣାଟି ଏପରି, ଗୁଆହାଟିର ବ୍ୟସ୍ତବହୁଳ ରୁକ୍ମୁଣୀ ନଗର ଜିଏସ୍‌ ରୋଡ୍‌ର ପଛରେ ଥିବା ଏକ ଗଳି ଦେଇ ଭାବନା ଯାଉଥିଲେ। ଏହି ସମୟରେ ଉକ୍ତ ଯୁବକ ଏକ ସ୍କୁଟିରେ ଆସି ତାଙ୍କୁ ସହରର ସିନାକିକୁ ରାସ୍ତା କେଉଁଆଡେ ବୋଲି ପଚାରିଥିଲେ। ସେ ଭଦ୍ର ଭାବେ ତାହା ଜାଣି ନ ଥିବା କହିଥିଲେ। ଏହାପରେ ଯୁବକଜଣଙ୍କ ଜୋରଜବରଦସ୍ତ ତାଙ୍କ ପାଖକୁ ଆସି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଭାବନା ତାଙ୍କୁ ପୋଲିସ ହାତରେ ଦେବାରେ ସଫଳ ହୋଇଥିଲେ।

ଫେସବୁକ୍‌ରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ନେଇ ଯୁବତୀ ଯୁବକଙ୍କ ଫଟୋ ଓ କିଛି ଭିଡିଓ ଶେୟାର କରି ଲେଖିଥିଲେ, ନବେ ଦଶକରେ ମୋର ଜନ୍ମ। ଏଣୁ ଆସାମର ଜିଏସ୍‌ ରୋଡ୍‌ରେ ଯୁବତୀଙ୍କ ପ୍ରତି ଅସଦାଚରଣ କରାଯାଇଥିବାର ଅନେକ ଘଟଣା ବିଷୟରେ ଶୁଣିଥିଲି। ହେଲେ କେବେ ହେଲେ ତାହା ଅନୁଭବ କରି ନ ଥିଲି। ଯାହା ଆଜି ମୋ ସହ ହେଲା। ମୋତେ ଅସଦାଚରଣ କରି ସେ ପଳାଇବାକୁ ଚାହିଁଥିଲା। ହେଲେ ମୁଁ ତାହା ହେବାକୁ ଦେଇ ନ ଥିଲି। ତାଙ୍କୁ ଜୋର୍‌ରେ ଟାଣି ଦେଇଥିଲି। ସେ ନିଜର ସ୍କୁଟିକୁ ଛଡ଼ାଇବାକୁ ଚେଷ୍ଟା କରିବା ବେଳେ ମୁଁ ପଛଚକ ଟାଣି ଗାଡ଼ିକୁ ଏକ ଡ୍ରେନରେ ପକାଇ ଦେଇଥିଲି ବୋଲି ସେ ଲେଖିଥିଲେ।

ପରେ ଆସାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ସୋସିଆଲ ମିଡିଆରେ ଏହି ସାହସୀ ଯୁବତୀଙ୍କ ପୋଷ୍ଟଟି ଭାଇରାଲ ହେଉଛି। ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିବା ସହ ଯୁବତୀଙ୍କ ସାହସକୁ ପ୍ରଶଂସା କରିଛନ୍ତି।

 

Share