ଆଜିଠୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା, ଖବରଦାତା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସାଧାରଣ ଲୋକମାନେ ସୋମବାର ଠାରୁ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ନିଜର ଅଭିଯୋଗ ରଖିପାରିବେ। କରୋନା ଲାଗି ଦୀର୍ଘ ୨ ବର୍ଷ ଧରି ରହିଥିବା କଟକଣାକୁ ରାଜ୍ୟ ସରକାର ମଙ୍ଗଳବାର ଉଠାଇ ଦେଇଛନ୍ତି। ବର୍ତ୍ତମାନ ସଂକ୍ରମଣ କମିଯାଇଥିବାରୁ ଏବଂ ଏଥିଲାଗି ରହିଥିବା କଟକଣା ଉଠାଇଦେବାରୁ ରାଜ୍ୟ ସରକାର ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନର ରିସେପଶନ୍‌ କାଉଣ୍ଟର ଖୋଲା ରଖିବେ। ଏପରିକି ଖବରଦାତାମାନେ ମଧ୍ୟ ଏଣିକି ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ। ଗତ ୧୨ ତାରିଖରେ ଲୋକସେବା ଭବନ, ଖାରବେଳେ ଭବନ ଏବଂ ରାଜୀବ ଭବନ ଯାଇପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ଦର୍ଶାଯାଇଛି। କେବଳ ସ୍ବୀକୃତିପ୍ରାପ୍ତ ଖବରଦାତାମାନଙ୍କୁ ହିଁ ଲୋକସେବା ଭବନ ଭିତରକୁ ଯିବା ଲାଗି ଅନୁମତି ମିଳିବ। ସେହିପରି ସାଧାରଣ ଲୋକମାନେ ମଧ୍ୟ ଅନ୍‌ଲାଇନରେ ପାସ୍‌ କରି ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ଯାଇପାରିବେ। ଏଥିପାଇଁ ପ୍ରଥମେ ଇ-ପ୍ରବେଶ ମୋବାଇଲ ଆପ୍‌ ଜରିଆରେ ପାସ୍‌ ପାଇଁ ସାଧାରଣ ଲୋକମାନେ ଆବେଦନ କରିପାରିବେ। ମହାମାରୀ କରୋନା ଯୋଗୁ ୨ ବର୍ଷ ହେବ ଖବରଦାତା ଏବଂ ସାଧାରଣ ଲୋକମାନଙ୍କ ପାଇଁ ଲୋକସେବା ଭବନ ବନ୍ଦ ରହିଥିଲା। ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା।