ବସ୍ତିବାସିନ୍ଦାଙ୍କ ଭୟରେ ତହସିଲ ଅଫିସ ଫାଟକରେ ତାଲା

ବାଲେଶ୍ୱର ଅଫିସ, ୧୯ା୪ ବାଲେଶ୍ୱର ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସଦର ତହସିଲ ଅଫିସ୍‌ ଫାଟକ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଅଞ୍ଚଳରୁ ଲୋକମାନେ କାମ ପାଇଁ ତହସିଲ ଅଫିସ୍‌କୁ ଆସି ବନ୍ଦ ଥିବା ଦେଖି ଫେରିଯାଇଥିଲେ। କିଛି ଲୋକ ଏହାର କାରଣ ତହସିଲ ଭିତରେ ଥିବା କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ବିଭିନ୍ନ ଅଞ୍ଚଳରେ ହେଉଥିବା ଉଚ୍ଛେଦକୁ ବିରୋଧ କରି ଲୋକମାନେ ତହସିଲ ଅଫିସକୁ ପଶିଯିବା ଭୟରେ ଫାଟକ ବନ୍ଦ କରାଯାଇଥିବା କର୍ମଚାରୀମାନେ କହିଛନ୍ତି। କିନ୍ତୁ ତହସିଲ କାମରେ ଆସିଥିବା ଲୋକମାନେ ଖରାଦିନେ ବାହାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ତହସିଲଦାର ଅନାମିକା ସିଂ କହିଛନ୍ତି, ଗତ ୧୧ତାରିଖରେ ଅଙ୍ଗାରଗଡ଼ିଆ ସ୍ଥିତ ଆଇଟିଆଇ ପଡ଼ିଆରେ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ଜବରଦଖଲକାରୀମାନେ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତହସିଲ ଅଫିସ୍‌ରେ ଆମରଣ ଅନଶନ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିପାଇଁ ପୋଲିସ ମୁତୟନ କରାଯାଇଥିଲା। ସୋମବାର ପୂର୍ବାହ୍ନ ୭ରୁ ୮ଜଣ ଜବରଦଖଲକାରୀ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ଆନ୍ଦୋଳନ କରିବାର ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ବାରଣ କରିଥିଲା। ପରେ ସେମାନେ ପଳାଇଯାଇଥିଲେ। ଏଥିପାଇଁ କିଛି ସମୟ ତହସିଲ ଗେଟ୍‌କୁ ବନ୍ଦ କରାଯାଇଥିଲା। ସାଧାରଣ ଲୋକଙ୍କ ଅଟକାଯାଇ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଇ ନ ଥିବାର ପ୍ରକାଶ କରିଥିଲେ।