Categories: ଜାତୀୟ

ବଦଳୁଛି ଗଙ୍ଗା ଗତିପଥ

ନୂଆଦିଲ୍ଲୀ, ୧୯ା୧୧:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି। ଜୀବଜଗତ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏବେ ଆହୁରି ଚିନ୍ତାରେ ପକାଇବା ଭଳି ଏକ ଅନୁସନ୍ଧାନ ରିପୋର୍ଟ ସାମ୍‌ନାକୁ ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) କାନପୁର ପକ୍ଷରୁ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ମାନବୀୟ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଗଙ୍ଗା ନଦୀ ପ୍ରବାହର ଦିଗ ବଦଳୁଛି। ଆଗକୁ ଏହା ପ୍ରଳୟଙ୍କାରୀ ବନ୍ୟାକୁ ଡାକି ଆଣିବ ବୋଲି ସାଇଣ୍ଟିଫିକ୍‌ ରିପୋର୍ଟ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି।
ବିନାଶକାରୀ ମାନବୀୟ କାର୍ଯ୍ୟକଳାପ ଯୋଗୁ ନଦୀ ଭଳି ପ୍ରାକୃତିକ ଉତ୍ସ କ୍ରମାଗତ ଭାବେ ପ୍ରଭାବିତ ହେବାରେ ଲାଗିଛି। ଏବେ ପ୍ରଦୂଷଣର ମାତ୍ରା ବୃଦ୍ଧି ସିଧାସଳଖ ଭାବେ ଗଙ୍ଗାନଦୀର ଗତି ପଥ ବଦଳାଇଦେଇଛି। ନଦୀରେ ବନ୍ଧ ନିର୍ମାଣ ମଧ୍ୟ ଏହାର ପ୍ରମୁଖ କାରଣ ପାଲଟିଛି। ଦେବପ୍ରୟାଗଠାରେ ଏକତ୍ରିତ ହୋଇ ଗଙ୍ଗା ସୃଷ୍ଟି କରିଥିବା ଭାଗୀରଥୀ ଏବଂ ଅଳକାନନ୍ଦା ନଦୀ ଉପରେ ମଧ୍ୟ ଅଧ୍ୟୟନ କେନ୍ଦ୍ରୀଭୂତ ହୋଇଛି ଏବଂ ମଣିଷ କାର୍ଯ୍ୟ ଯୋଗୁ ପର୍ବତାଞ୍ଚଳ କିପରି କ୍ଷତିଗ୍ରସ୍ତ ହୋଇଛି ତାହା ରିପୋର୍ଟରେ ଦର୍ଶାଯାଇଛି। ଗଙ୍ଗୋତ୍ରୀ ଗ୍ଲେସିୟରରୁ ବାହାରି ଥିବା ଭାଗୀରଥୀ ଏବଂ ସତୋପନ୍ଥ ଗ୍ଲେସିୟରରୁ ବାହାରିଥିବା ଅଳକାନନ୍ଦା ଦେବପ୍ରୟାଗଠାରେ ଗଙ୍ଗା ସହ ମିଶିଛନ୍ତି। ଗଙ୍ଗା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ଋଷିକେଶ ପର୍ଯ୍ୟନ୍ତ ଉପର ଗଙ୍ଗା ବେସିନ୍‌କୁ ଅଧ୍ୟୟନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି, ଭାଗୀରଥୀ ବେସିନ୍‌ରେ୪ଟି ଡ୍ୟାମ୍‌ ୨୦୧୦ ପୂର୍ବରୁ ଆରମ୍ଭ ହୋଇଥିବାବେଳେ ୨୦୧୫ ପରେ ଅଳକାନନ୍ଦା ବେସିନ୍‌ରେ ୨ଟି ଡ୍ୟାମ ହୋଇଥିଲା। ୧୯୯୫ରୁ ୨୦୦୫ ମଧ୍ୟରେ ଅଳକାନନ୍ଦା ବେସିନ୍‌ରେ ପାଣି ପ୍ରବାହ ଦୁଇଗୁଣା ହୋଇଛି। ପାଣି ପ୍ରବାହ ହାର ବୃଦ୍ଧି ବନ୍ୟା ଆଶଙ୍କାକୁ ଆହୁରି ବଢ଼ାଇଥିବା କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ସହିତ ଅଳକାନନ୍ଦା ଅଞ୍ଚଳରେ ବନ୍ଧ ନିର୍ମାଣ ଜଳ ପ୍ରବାହର ଦିଗ ବଦଳାଇ ଦେଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ନଦୀ ଗତିପଥ ଉପରେ ପଡ଼ୁଥିବା ପ୍ରଭାବକୁ ରୋକି ହୋଇପାରିବ ବୋଲି ଏଥିରେ ପରାମର୍ଶ ଦିଆଯାଇଛି। ଏଥିସହ ନଦୀଗୁଡ଼ିକରେ ମନୁଷ୍ୟ କାର୍ଯ୍ୟକଳାପ ବନ୍ଦ ନ ହେଲେ ଏହାର ସୁଦୂରପ୍ରସାରୀ ପରିଣାମ ଦେଖିବାକୁ ମିଳିବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।

Share