ଆଇନ ଜାଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଛେଣ୍ଡିପଦା,୩।୪ (ସ୍ବ.ପ୍ର.) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ନେଇ ହୋଇଥିବା ମାମଲା ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ଅଟକିଛି। ଏହି କାରଣରୁ ଅନେକ ବିଦ୍ୟାଳୟ ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଆଇନ ଜାଲରେ ଛନ୍ଦି ହୋଇଯାଇଛି। ଏପରି ଏକ ସ୍କୁଲ ହେଲା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଚରାକାନି ପ୍ରାଥମିକ ବିଦ୍ୟାଳୟ। ନିକଟରେ କୌଣସି ସ୍କୁଲ ନ ଥିଲେ ମଧ୍ୟ ଏହି ପ୍ରାଥମିକ ବିଦ୍ୟାଳୟକୁ ୫ କିଲୋମିଟର ଦୂର ଶିକ୍ଷାନୁଷ୍ଠାନରେ ମିଶ୍ରଣ କରାଯିବା ଗ୍ରାମବାସୀଙ୍କୁ କ୍ଷୁବ୍ଧ କରିଛି। ପ୍ରଶାସନର ଏପରି ଅଦୂରଦର୍ଶୀ ନିଷ୍ପତ୍ତିକୁ ସେମାନେ ବିରୋଧ କରୁଥିବା ବେଳେ ପ୍ରାଥମିକ ଛାତ୍ରୀଛାତ୍ରମାନଙ୍କୁ ପାଠପଢ଼ାରୁ ବଞ୍ଚିତ ହେବାକୁ ପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କମ୍‌ ଉପସ୍ଥାନ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ଏଠାକାର ପ୍ରଶାସନ ଚରାକାନି ପ୍ରାଥମିକ ବିଦ୍ୟାଳୟକୁ ସାପୋଇନାଳି ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦେବାକୁ ତାଲିକାଭୁକ୍ତ କରିଥିଲା। ହେଲେ ଚରାକାନି ସ୍କୁଲର ୨୦ ଜଣ କୁନି ଛାତ୍ରୀଛାତ୍ର କିପରି ୫ କିଲୋମିଟର ଦୂର ଯାଇ ସାପୋଇନାଳିରେ ପାଠ ପଢ଼ିବେ ତାହା ଚିନ୍ତା କରାଗଲା ନାହିଁ। ଆରମ୍ଭରୁ ହିଁ ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରାଯାଇଥିଲା। ପରେ ମାମଲା କୋର୍ଟରେ ରହିଥିବାରୁ ଏହାର ସମାଧାନ ହୋଇପାରି ନାହିଁ। ଏଣେ ଚରାକାନି ବିଦ୍ୟାଳୟ ବନ୍ଦ ହୋଇଯାଇଥିବା ବେଳେ ସାପୋଇନାଳି ସ୍କୁଲରେ ଏହି ପିଲାଙ୍କ ନାମ ଲେଖାହୋଇପାରି ନାହିଁ। ଚରାକାନିରେ ଥିବା ଶିକ୍ଷକମାନେ ସାପୋଇନାଳି ସ୍କୁଲକୁ ଚାଲିଯାଇଛନ୍ତି। ତେଣୁ ଚରାକାନିର ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହୋଇପାରୁ ନାହିଁ। ଏ ସମ୍ପର୍କରେ ଅଭିଭାବକମାନେ ସିଆର୍‌ସିସି, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ ଓ ଅନୁଗୋଳ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି।