ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ

କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ବଣପାହାଡ଼ ଘେରା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ଏହି ସାହିରେ ଆଦିବାସୀ ସମ୍ପ୍ରଦାୟର ୮୦ ପରିବାରର ପ୍ରାୟ ୩୦୦ ଲୋକ ବାସ କରନ୍ତି। ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଓ ଜିଲା ପ୍ରଶାସନର ‘ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମ ଏଠାରେ ଅପହଞ୍ଚ ହୋଇ ପଡ଼ିଛି। ବିଦ୍ୟାଳୟ ଯାଇ ପାରୁ ନ ଥିବା ଶିଶୁଙ୍କ ସମେତ ପ୍ରାୟ ୧୦ ବିଦ୍ୟାଳୟ ବାହାର (ଡ୍ରପ୍‌ ଆଉଟ) ପିଲା ଥିଲେ ହେଁ ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା । ଏହି ପିଲାମାନେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଅଧିକାରୀମାନେ କାଗଜ କଲମରେ ଦର୍ଶାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନିଶ୍ଚିତ ଶିକ୍ଷା ଯୋଜନାରେ ଗତ ୨୦୦୩-୦୪ ଶିକ୍ଷା ବର୍ଷରେ ଏହି ସାହିରେ ଏକ ଇଜିଏସ କେନ୍ଦ୍ର ଖୋଲା ଯାଇ ଜଣେ ସ୍ବେଚ୍ଛାସେବୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଥିବା ଏହି କେନ୍ଦ୍ର ଗୁଡ଼ିକୁ ସରକାରଙ୍କ ପକ୍ଷରୁ ନୂତନ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିବା ବେଳେ ପ୍ରଶାସନିକ ଅବହେଳା ପାଇଁ ଉକ୍ତ ଇଜିଏସ କେନ୍ଦ୍ରଟି ନୂତନ ପ୍ରାଥମିକ ବିଦ୍ୟାଳୟକୁ ରୂପାନ୍ତରିତ ହୋଇପାରିନାହିଁ। ଫଳରେ ଏହି ଆଦିବାସୀ ସାହିର ପ୍ରାୟ ୮୦ ପିଲା ଶିକ୍ଷାଦାନ ସହିତ ସରକାରଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିିତ ହେଉଥିବା ସମାଜସେବୀ ଜୟ ମୁର୍ର୍ମୁୁ ପ୍ରକାଶ କରଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର କେତେକ ପିଲା ଦୀର୍ଘ ଦୁଇ କି.ମି. ଦୂର ବଣ ଜଙ୍ଗଲ ରାସ୍ତାରେ ଶାଣଦେଇ କଟୁରିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଏଠାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ବହୁବାର ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କର ଶୁଭ ଦୃଷ୍ଟି ଏହି ଗ୍ରାମ ଉପରେ ପଡ଼ି ନ ଥିବା ଗ୍ରାମର ସୁକାନ୍ତ ସିଂ, ବିଜୟ ସିଂ ଓ ଧନୁର୍ଜୟ ମହାନ୍ତ ପ୍ରକାଶ କରିଛନ୍ତି। ସେହିପରି ଏହି ଗ୍ରାମରେ ଏତେ ସଂଖ୍ୟକ ଛୋଟଛୋଟ ପିଲା ଥିଲେ ହେଁ ଅଦ୍ୟାବଧି ଅଙ୍ଗନୱାଡି କେନ୍ଦ୍ରଟିଏ ଖୋଲାଯାଇ ପାରିନାହିଁ। ଏହି ଗ୍ରାମର ପିଲାମାନଙ୍କୁ ୪ କି.ମି ଦୂର ଗାଈପାଣିଖିଆ ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ସାମିଲ କରାଯାଇଛି । ପିଲାମାନେ ସେହି କେନ୍ଦ୍ରକୁ ଯାଇ ପାରୁ ନ ଥିବାରୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ବର୍ଷର ୪ ମାସ ସେମାନଙ୍କୁ ଅଣ୍ଡା, ଚାଉଳ ମିଳୁଥିବା ବେଳେ ୮ ମାସ ମିଳୁ ନ ଥିବା କେତେକ ଅବିଭାବକ ଅଭିଯୋଗ କରିଛନ୍ତି। ସେହିପରି ଅଙ୍ଗନୱାଡି ମାଧ୍ୟମରେ ପ୍ରସୂତି ଓ ଗର୍ଭବତୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗରୁ ମଧ୍ୟ ସେମାନେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ମିତାରାଣୀ ବସା ଏବଂ ଏବିଇଓ ଜଗନମୋହନ ବେହେରାଙ୍କୁ ପଚାରିବାରୁ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଆମେ ଦେଇଛୁ। ସରକାରଙ୍କର ଅନୁମୋଦନ ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।