ଝାରସୁଗଡାରେ ହେବ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପୋଲିସ ଏସ୍‌ଆଇଙ୍କ ଗୁଳିମାଡରେ ନିହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ କରି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ନବଙ୍କ ମରଶରୀର ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେ ନବଙ୍କ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କ ଶେଷ ଦର୍ଶନ କରିଥିଲେ। ଶେଷ ଦର୍ଶନ କରିବା ପରେ ମରଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ କିଛି ସମୟ ରହିବା ପରେ ମରଶରୀରୁ ଏକ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ନିଆଯିବ। ଅପରାହ୍ନରେ ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।