ଆଳିରେ ବେଆଇନ ମଦ କାରବାର:ଆନ୍ଦୋଳନ ଚେତାବନୀ ଦେଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡ଼ା ଅଫିସ,୧୭।୪: କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି। ଏହି ବିକ୍ରିକୁ ବନ୍ଦ ଦାବି କରି ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ର ଏଡିଏମ ପିତାମ୍ବର ସାମଲଙ୍କୁ ଶନିବାର ପ୍ରଦାନ କରିଛନ୍ତି। ଏସମ୍ପର୍କରେ ପୂର୍ବତନ ବିଧାୟକ ଶର୍ମା କହିଛନ୍ତି, ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ମଦ ବ୍ୟବସାୟ ପାଇଁ ଅନୁମତି ଦେଉଛନ୍ତି। ଏହି ସୁଯୋଗରେ ମଦ ବ୍ୟବସାୟୀମାନେ ଏବେ ବେଆଇନ ମଦ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ମଞ୍ଜୁରୀପ୍ରାପ୍ତ ବ୍ୟବସାୟୀମାନେ ଅବକାରୀ ବିଭାଗର ସହାୟତାରେ ମନ୍ଦିର, ବିଦ୍ୟାଳୟ ଓ ଦଳିତ ବସ୍ତି ନିକଟରେ ବ୍ୟବସାୟ କରୁଛନ୍ତି। ଫଳରେ ସାମାଜିକ ନିରାପତ୍ତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଆଳି ଭୁଇଁପୁର ରାସ୍ତା ନିକଟରେ ଥିବା ଏକ ସ୍କୁଲର ମାତ୍ର ୨୦ ମିଟର ଦୂରରେ ମଦ ବିକ୍ରୀ ହେଉଛି। ଯାହାର ପ୍ରଭାବ ଛାତ୍ରୀଛାତ୍ରଙ୍କ ଉପରେ ପଡୁଛି। କେତେକ ବ୍ୟବସାୟୀ ଏବେ ହୋମ୍‌ ଡେଲିଭରୀ ବ୍ୟବସ୍ଥା କରିଥିବାରୁ ଏକାଧିକ ପରିବାରରେ ଅଶାନ୍ତି ବଢ଼ି ଚାଲିଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ବେଆଇନ ବ୍ୟବସାୟକୁ ବନ୍ଦ କରା ନ ଗଲେ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।