ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଦୋହା,୨୧।୩: ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ ଶାହା ସ୍ପଷ୍ଟ କରିସାରିଛନ୍ତି। ବିସିସିଆଇର ଏହି ମନୋଭାବ ପରେ ଏସିଆ କପ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ। ତେବେ ପିସିବି ନିଜେ ପାକିସ୍ତାନରେ ଏସିଆ କପ ଆୟୋଜନ କରିବାକୁ ଜିଦ ଧରିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
ଆଫ୍ରିଦି କହିଛନ୍ତି, ଆମେ ଯାହା ସହିତ ବନ୍ଧୁତା କରିବାକୁ ଚାହୁଁଛୁ ସେ ଯଦି ଆମ ସହିତ କଥାବାର୍ତ୍ତା କରିବେ ନାହିଁ, ତେବେ ଆମେ ଏହା ବିଷୟରେ କ’ଣ କରିପାରିବା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିସିସିଆଇ ଏକ ଶକ୍ତିଶାଳୀ ବୋର୍ଡ। ଶକ୍ତିଶାଳୀ ଭାବେ ତୁମର ଅଧିକ ଦାୟିତ୍ୱ ମଧ୍ୟ ଅଛି। ଅଧିକ ଶତ୍ରୁତା କରିବାକୁ ଚେଷ୍ଟା କରିବା ଅପେକ୍ଷା ବନ୍ଧୁତା ସୃଷ୍ଟି କରିବା ଆବଶ୍ୟକ।
ପାକିସ୍ତାନରେ ୨୦୦୫ ସିରିଜକୁ ମନେପକାଇ ଆଫ୍ରିଦି କହିଛନ୍ତି, ଭାରତ ପାକିସ୍ତାନ ଗସ୍ତରେ ଆସିଥିବାବେଳେ ବଡ଼ ମଡ଼ ଗଣମାଧ୍ୟମର ଖବରଦାତା ଆସିଥିଲେ। ଭଜି, ୟୁଭି ଏବଂ ଅନ୍ୟ ଖେଳାଳିମାନେ ବାହାରକୁ ଯାଇ କିଛି କିଣୁଥିଲେ। ସେମାନେ ରେଷ୍ଟୁରାଣ୍ଟକୁ ଯାଉଥିଲେ, କେହି ତାଙ୍କଠାରୁ ଟଙ୍କାଟିଏ ନେଉ ନ ଥିଲେ। ଏହା ହେଉଛି ଉଭୟ ଦେଶର ସୌନ୍ଦର୍ଯ୍ୟ। ନିକଟରେ ଅନେକ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଖେଲିବାକୁ ଆସୁଛନ୍ତି। ଆମେ ମଧ୍ୟ ଭାରତରେ ସୁରକ୍ଷା ବିପଦର ସମ୍ମୁଖୀନ ହେଉଥିଲୁ। କିନ୍ତୁ ଯଦି ଉଭୟ ଦେଶର ସରକାରଙ୍କଠାରୁ ଅନୁମତି ମିଳେ ତେବେ ଏହି ଗସ୍ତ ହେବ।

Share