Categories: ଜାତୀୟ

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା ରାଣେଙ୍କୁ ଟିକେଟ ଦେଇଛି। ଏହି ପ୍ରସଙ୍ଗ ଗୋଆ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ଗୋଆରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ ଡିସେମ୍ବରରେ ୮୭ ବର୍ଷୀୟ ପୁରୁଖା ନେତା ପ୍ରତାପସିଂ ରାଣେଙ୍କୁ ଦଳ ପୋରିଏମ୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଥିଲା। ଗତ ସପ୍ତାହରେ ଭାଜପା ପକ୍ଷରୁ ତାଙ୍କ ବୋହୂ ଦିବ୍ୟା ବିଶ୍ୱଜିତ୍‌ ରାଣେଙ୍କୁ ଟିକେଟ ଦିଆଯିବା ପରେ ପ୍ରତାପସିଂ ଆଉ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ନିଜ ବୋହୂଙ୍କୁ ଡରି ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଥିବା ଭୋଟର ଆଲୋଚନା କରୁଛନ୍ତି। ତେବେ ପ୍ରତାପସିଂ କହିଛନ୍ତି, ପାରିବାରିକ ଚାପ ଯୋଗୁ ନୁହେଁ, ବରଂ ନିଜ ବୟସକୁ ନେଇ ସେ ପଛଘୁଞ୍ଚା ଦେଇଛନ୍ତି। ପୋରିଏମ୍‌ ହେଉଛି ପ୍ରତାପସିଂଙ୍କ ଗଡ଼, ଯେଉଁଠୁ ସେ ୧୧ ଥର ଗୋଆ ବିଧାନସଭାରେ ପ୍ରତିନିଧିତ୍ୱ କରିଛନ୍ତି। ଉକ୍ତ ଆସନରେ ସେ କେବେ ପରାଜିତ ହୋଇନାହାନ୍ତି। ପ୍ରତାପସିଂଙ୍କ ପୁଅ ବିଶ୍ୱଜିତ୍‌ ରାଣେ ହେଉଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ନେତୃତ୍ୱାଧୀନ ଭାଜପା ସରକାରର ଜଣେ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ। ପୂର୍ବରୁ ଜୁନିୟର ରାଣେ ମଧ୍ୟ କଂଗ୍ରେସରେ ଥିଲେ। ତେବେ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ସେ ହାତ ଛାଡ଼ି ପଦ୍ମ ଧରିଥିଲେ।
୧୯୮୭ରୁ ୨୦୦୭ ମଧ୍ୟରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରତାପସିଂ ରାଣେ ପୂର୍ବରୁ କହିଥିଲେ, ସେ ଯେମିତି ବି ହେଉ ନିର୍ବାଚନ ଲଢ଼ିବେ। କଂଗ୍ରେସ ତାଙ୍କ ନାମ ଘୋଷଣା କରିଥିବାରୁ ଓହରିବାର ପ୍ରଶ୍ନ ଉଠୁନାହିଁ। ଏପରି କି ଶନିବାର ମଧ୍ୟ ପଣଜୀର ଏକ ହୋଟେଲରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ବେଳେ ସେ ଉପସ୍ଥିତ ଥିଲେ। ଦୀର୍ଘ ୪୫ ବର୍ଷ ଧରି ପୋରିଏମ୍‌ ଆସନକୁ ନିଜ ଦଖଲରେ ରଖିଥିବା ପ୍ରତାପସିଂ ଏବେ ବୋହୂଙ୍କ ପାଇଁ ହଟିଯାଇଥିବାରୁ କଂଗ୍ରେସ ପାଇଁ ଏହା ଶକ୍ତ ଧକ୍କା ବୋଲି କୁହାଯାଉଛି। କଂଗ୍ରେସ ନେତା ପି. ଚିଦାମ୍ବରମ୍‌ କହିଛନ୍ତି, ପୋରିଏମ୍‌ ଆସନ କହିଲେ ପ୍ରତାପସିଂ ରାଣେଙ୍କୁ ବୁଝାଏ। ଏଥର ମଧ୍ୟ ଆମେ ତାଙ୍କୁ ପ୍ରାର୍ଥୀ କରିଥିଲୁ। ଯଦି ସେ ନ ଲଢ଼ନ୍ତି ତେବେ ତାଙ୍କ ବିକାଶମୂଳକ କାର୍ଯ୍ୟ ଆଗକୁ ନେବା ଭଳି ଜଣେ ନେତାଙ୍କ ନାମ ପ୍ରସ୍ତାବ ଦିଅନ୍ତୁ ବୋଲି ଅନୁରୋଧ କରିଥିଲୁ। ତାଙ୍କ ପଛଘୁଞ୍ଚା ଆମକୁ ନିରାଶ କରିଛି। ପ୍ରକାଶ ଯେ, ଏହି ଆସନରେ ଭାଜପା ବାପାଙ୍କ ବିରୋଧରେ ପୁଅ ବିଶ୍ୱଜିତ୍‌ଙ୍କୁ ଲଢ଼େଇବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏପରି କି ବାପା ସସମ୍ମାନେ ରାଜନୀତିରୁ ସନ୍ନ୍ୟାସ ନିଅନ୍ତୁ ବୋଲି ବିଶ୍ୱଜିତ୍‌ ମଧ୍ୟ କହୁଥିଲେ। ହେଲେ ପ୍ରତାପସିଂ ପୁଅ ବିରୋଧରେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ଥିଲେ। ଏଥିଯୋଗୁ ଭାଜପା ବିଶ୍ୱଜିତ୍‌ଙ୍କୁ ପଡ଼ୋଶୀ ଭାଲପୋଇ ଆସନରେ ଟିକେଟ ଦେଇ ତାଙ୍କ ଡାକ୍ତରାଣୀ ସ୍ତ୍ରୀ ଦିବ୍ୟାଙ୍କୁ ପୋରିଏମ୍‌ରୁ ଛିଡ଼ା କରାଇଛି।

Share