୧୨୦୦ ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ଖରାଦିନ ଆସିଯାଇଥିବାରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି। ସୋମବାର ସୁଦ୍ଧା ୧୨୦୦ ପଏଣ୍ଟରେ ନିଆଁ ଲାଗିଥିବାବେଳେ ଏହା ୧୫୦୦କୁ ବୃଦ୍ଧି ପାଇପାରେ। ତେବେ ଗତ ୧୨ ତାରିଖ ସୁଦ୍ଧା ୯୭ ପ୍ରତିଶତରୁ ଅଧିକ ରେସପନ୍ସ ମିଳିଛି। ସେହିପରି ଭୁବନେଶ୍ୱର ଶିଖରଚଣ୍ଡୀରେ ଲାଗିଥିବା ନିଆଁ ଆୟତ୍ତ ହୋଇସାରିଛି। ଜଙ୍ଗଲରୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି ବୋଲି ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି।
ନିଆଁର ମୁକାବିଲା କରିବା ପାଇଁ ବନ ବିଭାଗ ସବୁ ପ୍ରକାର ପଦକ୍ଷେପ ନେଉଛି। କିନ୍ତୁ ଏହାକୁ ରୋକିବାରେ ସଫଳତା ମିଳିପାରୁନି। ବନ୍ୟପ୍ରାଣୀ ଶିକାର ଲୋଭରେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଜଙ୍ଗଲରେ ଲାଗୁଥିବା ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ଏଥିପାଇଁ ସଚେତନ କରାଯାଉଛି। ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି। ନିଆଁ ଲିଭାଯିବା ପରେ ଫଟୋ ଉଠାଇ ଅପ୍‌ଲୋଡ୍‌ ମଧ୍ୟ କରାଯାଉଛି। ନିଆଁ ଲଗାଉଥିବା ବେଳେ ଧରାପଡ଼ିଲେ ମାମଲା ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ରବିବାର କନ୍ଧମାଳ ଜିଲାରେ ନିଆଁ ଲଗାଇବା ବେଳେ ଜଣେ ଶିକାରୀ ଧରାପଡ଼ିଛନ୍ତି। ନିଆଁ ଲାଗିବା ନେଇ କେହି ଖବର ଦେଲେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ବନ୍ୟପ୍ରାଣୀ ଜନବସତିକୁ ମାଡ଼ି ଆସିବା ନେଇ ବନ ବିଭାଗ ଆଲର୍ଟ ରହିଛି। ତେବେ ଯେଉଁଠି ବନ୍ୟପ୍ରାଣୀ ଆସୁଛନ୍ତି, ତୁରନ୍ତ ବନ କର୍ମଚାରୀଙ୍କୁ ଜଣାଇବା ପାଇଁ ପିସିସିଏଫ୍‌ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।