ବନ ବିଭାଗ ଶୋଇଛି, ଜଙ୍ଗଲ ଜଳୁଛି

ନୂଆଗାଁ,୨୦।୨ (ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ ଚୋରି ହେଉଥିବା ବେଳେ ଏଥିପ୍ରତି ବନ ବିଭାଗ କର୍ମଚାରୀଙ୍କ ଭ୍ରୁକ୍ଷେପ ନାହିଁ। ସେହିପରି ସାମାନ୍ୟ ଖରା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ଜଳୁଥିଲେ ମଧ୍ୟ ବନ କର୍ମଚାରୀ ଜାଣି ପାରୁନାହାନ୍ତି।
ଜଙ୍ଗଲର ସୁରକ୍ଷା ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ତଳସ୍ତରରେ ବନରକ୍ଷୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତିି। ଏହାପରେ ମଧ୍ୟ ଜଙ୍ଗଲ ପ୍ରତି କଡା ନଜର ରଖିବା ପାଇଁ ମଜୁରୀ ଦେଇ ଓ୍ୟାଚର ନିଯୁକ୍ତି ମଧ୍ୟ କରାଯାଉଛି। ଏସବୁ ପରେ ବି ମହିପୁର ବନ ବିଭାଗ ଜଙ୍ଗଲକୁ ସୁରକ୍ଷା ଦେଇ ପାରୁନାହିଁ। କର୍ମଚାରୀଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ମହିପୁର ବନାଞ୍ଚଳରେ ଥିବା ବିଶାଳ ଶାଳ ଗଛ ପ୍ରତି କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଫଳର କାହାରିକୁ ଖାତିର ନ କରି ରାଜ ରାସ୍ତା କଡରୁ ଗଛ କାଟି ଗାଡି ଯୋଗେ ବାହାରକୁ ନେଇ ଯାଉଛନ୍ତି। ଦୀର୍ଘଦିନ ହେଲା ନୂଆଗାଁ  ବିଟ୍‌ରେ ବନରକ୍ଷୀଙ୍କ ଅନୁପସ୍ଥିତ କାଠ ମାଫିଆଙ୍କୁ ବେଶ୍‌ ସୁହାଇଛି। ଜଙ୍ଗଲକୁ ସୁରକ୍ଷା ଦେବା ତ ଦୂରର କଥା କାଠ ଚୋରି ହେବା ପରେ ମଧ୍ୟ ମହିପୁର ବନ ବିଭାଗ ଜାଣି ପାରୁନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇବା ପରେ ତପତ୍ରତା ଦେଖାଇ ବଳକା କାଠକୁ ଗୋଟାଇ କର୍ମଚାରୀ ଆଣି ବାହାଦୁରୀ ନେଉଛନ୍ତି। କାଠ ମାଫିଆ ୫୭ ନଂ. ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ନିକଟ ରାସ୍ତା କଡରୁ ରବିବାର ବଡ଼ ଶାଳ ଗଛ କାଟି ନେଇଥିଲେ ମଧ୍ୟ ବନ କର୍ମଚାରୀଙ୍କ ପାଖରେ ଖବର ନାହିଁ। ସେହିପରି ଯେଉଁ ଜଙ୍ଗଲରେ ନିଆଁ ଲାଗିବ ତାହାର ସୂଚନା ଇଣ୍ଟରନେଟ ମାଧ୍ୟମରେ ବନ ବିଭାଗ ନିକଟରେ ସୂଚନା ପହଞ୍ଚତ୍ବ ବୋଲି ଅଧିକାରୀମାନେ କହୁଛନ୍ତି। ହେଲେ ନୂଆଗାଁ ବ୍ଲକ ନିକଟ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ସେ ଖବର ବନ ବିଭାଗ ପାଖରେ ନାହିଁ। ଏ ସମ୍ପର୍କରେ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡଙ୍ଗୀଙ୍କୁ ପଚାରିବାରେ ସେ ମହିପୁର ରେଞ୍ଜରଙ୍କୁ ଜଣାଇଥିଲେ ବୋଲି କହିଛନ୍ତି। ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ଷ୍ଟାଫ ପଠାଇ ଘଟଣା ବିଷୟରେ ବୁଝିବାକୁ କହୁଛି। ନୂଆଗାଁ ବିଟରେ ବନରକ୍ଷୀ ନ ଥିବାରୁ ଖାଲମଡା ବନରକ୍ଷୀ ନୂଆଗାଁ ବିଟ ଦାୟିତ୍ୱରେ ଥିବା ସେ କହିଛନ୍ତି।