ବନ ବିଭାଗ ଚୁପ୍‌, ଆଢୁଆଳରେ ଅଧିକାରୀ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ମହାନଦୀର କଟକ ମୁଣ୍ଡଳି ବ୍ରିଜ ତଳେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍‌ ବୋଟ୍‌ ଓଲଟି ଦୁଇଜଣଙ୍କ ଜୀବନ ଗଲା। ଏଥିସହ ଉକ୍ତ ହାତୀର ବି ମୃତ୍ୟୁ ହେଲା। କାହା ପାଇଁ ଏତେବଡ଼ ଘଟଣା ଘଟିଲା ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ସମସ୍ତଙ୍କର ଗୋଟିଏ କଥା ଏହା ଏକ ଦୁର୍ଘଟଣା ଥିଲା। ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ବନ ବିଭାଗର ନିରବତାକୁ ନେଇ। ଇତିମଧ୍ୟରେ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ଶୂନ। ହାତୀକୁ ସୁରକ୍ଷା ଦେବା ବନ ବିଭାଗର କାମ। ଫସିଥିବା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ ପ୍ରଥମେ ଠିକ୍‌ କୌଶଳ ଆପଣାଇଥିଲା କି? ଓଡ୍ରାଫକୁ ପାଣିକୁ ପଠାଇ ଅଧିକାରୀମାନେ କରୁଥିଲେ କ’ଣ? ପୁଣି ଓଡ୍ରାଫ ସହିତ ଗଣମାଧ୍ୟମ ପ୍ରତିନିଧି ବୋଟ୍‌ରେ ଯିବାବେଳେ ସେମାନେ ବାରଣ କଲେ ନାହିଁ କାହିଁକି? ଏପରି ଅନେକ ପ୍ରଶ୍ନ ଭିତରେ ଏବେ କିଏ ଓଡ୍ରାଫକୁ ଦୋଷ ଦେଉଛି ତ’ ଆଉ କିଏ ଉକ୍ତ ଗଣମାଧ୍ୟମ ମାଲିକଙ୍କୁ। କିନ୍ତୁ ଏହାରି ଭିତରେ ବନ ବିଭାଗର ଅଧିକାରୀ ପୂରା ଆଢୁଆଳରେ ରହିଯାଇଛନ୍ତି। ଘଟଣା ସ୍ଥଳରେ ସେମାନେ ଉପସ୍ଥିତ ଥିଲେ ମଧ୍ୟ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନ ଥିଲେ। ହାତୀ ବାରମ୍ବାର ଉପରକୁ ଆସିବାକୁ ଚେଷ୍ଟା କରୁଥିବାବେଳେ ଲୋକଙ୍କ ସମାଗମ ବାଟ ଓଗାଳିଥିଲା। ବନ ଅଧିକାରୀମାନେ ଚାହିଁଥିଲେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ପାଇଁ ଜିଲା ପ୍ରଶାସନକୁ ଜଣାଇପାରିଥାନ୍ତେ। ତାହା ନ କରି ସେମାନେ ଖାଲି ମୃତ୍ୟୁ ଖେଳର ଦର୍ଶକ ସାଜିଥିଲେ। ପୂରା ଘଟଣାରେ ବନ ବିଭାଗର ବିଫଳତା ଓ ଅଧିକାରୀଙ୍କ ଦୁର୍ବଳତା ସ୍ପଷ୍ଟ ଦେଖାଯାଉଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ପିସିସିଏଫ୍‌ ଶଶି ପଲ୍‌ କହିଛନ୍ତି, ହାତୀ ମୃତ୍ୟୁର ତଦନ୍ତ ଚାଲିଛି। କାହାର ତ୍ରୁଟି ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ।
ସୂଚନାଯୋଗ୍ୟ, ଗତ ୨୪ ତାରିଖ ସକାଳେ ଆଠଗଡ଼ ସୁକାସନ ଜଙ୍ଗଲରୁ ୧୮ ଟିକିଆ ହାତୀ ପଲ ମହାନଦୀ ପାର ହୋଇ ଚନ୍ଦକାକୁ ଫେରୁଥିବାବେଳେ ଏକ ଦନ୍ତା ଭାସିଯାଇ ମୁଣ୍ଡଳି ବ୍ୟାରେଜଠାରେ ଅଟକି ରହିଥିଲା। ଆଠଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚତ୍ ଉଦ୍ଧାର କରିବାରେ ବିଫଳ ହେବାରୁ ଓଡ଼ିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ୍‌) ଟିମ୍‌ର ସହାୟତା ନେଇଥିଲେ। ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀଙ୍କ ସହ ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳର ଉପସ୍ଥିତିରେ ଓଡ୍ରାଫ ଟିମ୍‌ ବୋଟ୍‌ ସହାୟତାରେ ଗଜ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଓଡ୍ରାଫ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଯବାନ ସୀତାରାମ ମୁର୍ମୁ ଏବଂ ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ ବିଭାଗ ନିଅଁାହୁଳା ଦେଖାଇ ହାତୀକୁ ଘଉଡାଉଥିବାବେଳେ ହାତୀଟି ଭାସି ନିଖୋଜ ହୋଇଯାଇଥିଲା। ରବିବାର ସକାଳରେ ତା’ର ମୃତଦେହ ସାତବାଟିଆ ନଦୀପଠାରେ ଠାବ କରାଯାଇ ସୋମବାର ବ୍ୟବଚ୍ଛେଦ କରାଯାଇଥିଲା।