ମହାବଳ ନା କଲରାପତରିଆ ବାଘ, ପାଦ ଚିହ୍ନକୁ ନେଇ ଦ୍ୱନ୍ଦ୍ୱରେ ବନବିଭାଗ

ସଜନାଗଡ଼, ୨୨।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ୨୭୨.୭୩ ବର୍ଗକିଲୋମିଟର ପରିବ୍ୟାପ୍ତ। ଏହା ଭିତରେ କିଛି ନିର୍ଦ୍ଦିଷ୍ଟ ସ୍ଥାନୀୟ ଅଞ୍ଚଳରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହା ମହାବଳ ନା କଲରାପତରିଆ ବାଘ ଏଯାଏ ସ୍ପଷ୍ଟ ହୋଇପାରୁନି। ଯାହାକୁ ନେଇ ବନବିଭାଗ ଦ୍ୱନ୍ଦ୍ୱରେ ରହିଛି।
କୁଲଡ଼ିହା ଅଭୟାରଣ୍ୟ ଅନ୍ତର୍ଗତ ଖୁମକୁଟ, ପଞ୍ଚଲିଙ୍ଗେଶ୍ୱର, ଜୋଡ଼ାଚୁଆ, ସର୍ବଣାନାଳ ନିକଟ ସନ୍ତସନ୍ତିଆ ସ୍ଥାନରେ ଏହି ପାଦ ଚିହ୍ନ ଦେଖିବାକୁ ମିଳିଥିବା ବନବିଭାଗ ସୂଚନା ଦେଇଛି। ପାଦ ଚିହ୍ନକୁ ନେଇ ବନବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ପାଦ ଚିହ୍ନ ଏକ ବାଘର ହୋଇଥିବା ବେଳେ ଏହା ମହାବଳ ନା କଲରାପତରିଆ ତାହା ସ୍ପଷ୍ଟ ହୋଇପାରିନି। ଠିକ୍‌ ତଥ୍ୟ ନିମନ୍ତେ ବିଭିନ୍ନ ସନ୍ତସନ୍ତିଆ ଜାଗା ନିକଟରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଏନେଇ ଏସିଏଫ୍‌ଓ ଶରତ ଚନ୍ଦ୍ର ବେହେରା, ନୀଳଗିରି ରେଞ୍ଜର ମନ୍‌ୱାର ଖାନ, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ଼, ସବୁଜବାହିନୀର ଏକ ଟିମ୍‌ ଜଙ୍ଗଲ ଭିତରକୁ ଯାଇ ବିଭିନ୍ନ ସ୍ଥାନର ଛାନଭିନ୍‌ କରି ଫେରିଛନ୍ତି। ଆସନ୍ତା ୧ମାସ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗତ ଏକ ମାସପୂର୍ବରୁ ଜାଡ଼ାଚୁଆ ଅଞ୍ଚଳରେ ଏକ ମୃତ ହରିଣ ଦେଖିବାକୁ ମିଳିଥିଲା। ହରିଣର ପଛପଟ କ୍ଷତାକ୍ତ ହୋଇପଡ଼ିଥିବା ବେଳେ ଉକ୍ତ ସ୍ଥାନରେ ୨ଦିନ ପର୍ଯ୍ୟନ୍ତ ରଖାଯାଇଥିଲା। ସେଠାରେ ଟ୍ରାପ୍‌ କ୍ୟାମେରା ଲଗାଯିବା ସହ ବାଲି ବିଛାଯାଇଥିଲେ ହେ ଆଜି ପର୍ଯ୍ୟନ୍ତ ଉକ୍ତ ହରିଣର ମୃତୁ୍ୟୁ ବାଘ ଦ୍ୱାରା ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରିନି। ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।