କମୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା

ମାର୍ଶାଘାଇ, ୨୦।୭୮(ଡି.ଏନ.ଏ.): ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ ଓ ପାଇକା ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଗୁରୁବାର ରାତିରୁ ଲଘୁଚାପଜନିତ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ବନ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ଆଇତିପୁର ଓ ଜଳାପୋକ ପଞ୍ଚାୟତର ସମସ୍ତ ଗଁାରେ ଏବେ ବି ବନ୍ୟା ପାଣି ଘେରରେ ଲୋକମାନେ କାଳାତିପାତ କରୁଛନ୍ତି। ଆଇତିପୁର ପଞ୍ଚାୟତର ଆଇତିପୁର, ଡିହବଳରାମପୁର ଓ ବାଲିସିଂ, ଜଳାପୋକ ପଞ୍ଚାୟତର ଜଳାପୋକ, ପକ୍ଷଟ ଓ ଶ୍ରୁତିପୁର ଆଦି ଗ୍ରାମର ଲୋକମାନେ ମୁଖ୍ୟ ନଦୀବନ୍ଧ ରାସ୍ତାରେ ଗୃହପାଳିତ ପଶୁଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କୁ ଦେଖାରଖା ପାଇଁ ଗ୍ରାମରୁ କଦଳୀ ଭେଳାରେ ଯିବା ଆସିବା କରୁଛନ୍ତି। ଆଇତିପୁର ଗ୍ରାମର ଅକ୍ଷୟ ବିଶ୍ୱାଳ, ବାଲିସିଂ ଗ୍ରାମର ଗୌରାଙ୍ଗ ସାମଲ ଓ ଡିହବଳରାମପୁର ଗ୍ରାମର ହରିହର ଆଚାର୍ଯ୍ୟ ପ୍ରମୁଖ କହିଛନ୍ତି, ସରକାରୀ ଭାବେ ଲୋକଙ୍କୁ ମିଳୁଥିବା ରିଲିଫ ଓ ପଶୁ ଖାଦ୍ୟ ସମୁଦ୍ରକୁ ଶଙ୍ଖେ। ତେଣୁ ନଦୀବନ୍ଧରେ ଥିବା ଗୋରୁଙ୍କ ଦେଖା ରଖା କରିବାକୁ ଗଁାକୁ ଏକ ସରକାରୀ ଡଙ୍ଗା ଯୋଗାଇ ଦେବାକୁ ଦାବି କରିଛନ୍ତି। ବନ୍ୟା ପାଣି ଘେରରେ ଜଳବନ୍ଦୀ ଥିବା ଗଁାରେ ଏ ପର୍ଯ୍ୟନ୍ତ ମେଡିକାଲ ଟିମ୍‌ ପହଞ୍ଚତ୍ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିନାହିଁ। ଫଳରେ ଜ୍ୱର ଓ ଝାଡାବାନ୍ତି ଭଳି ରୋଗ ଆଗକୁ ଦେଖା ଦେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଗ୍ରାମଗୁଡିକରେ ଲୋକଙ୍କ ଘରେ ପାଣି ପଶିଥିବାରୁ ଚୁଲି ଜଳୁନାହିଁ, ବ୍ଲକ ପ୍ରଶାସନ ପକ୍ଷରୁ ମାଗଣାରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଖାଇ ଜୀବନ ବିତୁଛି। ଆଇତିପୁର ସମିତିସଭ୍ୟ ତଥା ମାର୍ଶାଘାଇ ବ୍ଲକ ଉପାଧ୍ୟାକ୍ଷା ଊର୍ମିଳା ମହାନ୍ତି ଓ ଜଳାପୋକ ସରପଞ୍ଚ ସୁକାନ୍ତି ମହାନ୍ତି କହିଛନ୍ତି, ଉକ୍ତ ଦୁଇ ପଞ୍ଚାୟତର ଲୋକଙ୍କ ଜୀବିକା ବେଶି ମାତ୍ରାରେ ପ୍ରଭାବିତ ହୋଇଛି। ଚାଷବାସ ଉଜୁଡିଗଲା, ଏଥିପ୍ରତି ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।