ଚାଟୁକାରଙ୍କ ଜିଭ

ରୁଦ୍ର ପ୍ରସନ୍ନ ରଥ

 

ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ହେଉଛି ଯେ କୌଣସି ମଣିଷର ମୌଳିକ ଆବଶ୍ୟକତା। ଏ ପୃଥିବୀରେ ବଞ୍ଚିବାପାଇଁ ଏତିକି ନିହାତି ଆବଶ୍ୟକ। ତେବେ ମଣିଷ ଖାଲି ବଞ୍ଚି ରହିଲେ ଚଳିବ ନାହିଁ, ମଣିଷକୁ ପ୍ରଗତି ପଥରେ ଆଗକୁ ମଧ୍ୟ ବଢ଼ିବାକୁ ପଡ଼ିବ। ଆଉ ଏ ବଢ଼ିବା ପାଇଁ ଯାହା ଆବଶ୍ୟକ ତାହାହେଲା ବୁଦ୍ଧି, ଜ୍ଞାନ ଆଉ ବିବେକ। ଯଦି ଏ ତିନୋଟି ଆପଣଙ୍କ ପାଖରେ ଅଛି ତାହାହେଲେ ଆପଣ କେବଳ ବଞ୍ଚିବେନି ବରଂ ମଯର୍‌ୟାଦାପୂର୍ଣ୍ଣଭାବେ ପ୍ରଗତିପଥରେ ଆଗକୁ ବେଶ୍‌ ବଢ଼ିପାରିବେ।
କିନ୍ତୁ ଆପଣ ସବୁବେଳେ ଭାଗ୍ୟବାନ ହୋଇ ନ ପାରନ୍ତି । ଆପଣଙ୍କ ପାଖରେ ସବୁ ଥାଇ ବି ଅନେକ ସମୟରେ ପ୍ରଗତିର ସେ ଲମ୍ବା ଦୌଡ଼ରେ ଆପଣ ନିଜର ସହକର୍ମୀଙ୍କଠାରୁ ବେଶ୍‌ ପଛରେ ପଡି ଯାଆନ୍ତି। ଆପଣଙ୍କଠାରୁ ଶିକ୍ଷା ଦୀକ୍ଷା ଆଉ ଦକ୍ଷତାରେ କମ୍‌ ଥାଇ ବି ଅନେକ ସମୟରେ ଅନେକ ଲୋକ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ପଛରେ ପକାଇ ଦେଉଥିବାର ଅନୁଭବ ଆପଣ କେତେବେଳେ ନା କେତେବେଳେ ନିଶ୍ଚେ କରିଥିବେ। ଯଦି ଆପଣ କେବେ ନିଜକୁ ଏପରି ପରିସ୍ଥିତିରେ ପାଇଥିବେ ସେଥିପାଇଁ ଆପଣ କେବେହେଲେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତୁ ନାହିଁ ବରଂ ଏଥିପାଇଁ ଆପଣ ନିଜର ଜିଭକୁ ଦୋଷଦେଇ ପାରନ୍ତି। ହଁ ଆପଣଙ୍କଠାରୁ ସବୁଥିରେ କମ୍‌ ଥାଇ ବି ଜୀବନ ହାଟରେ ବେଶ୍‌ ସୁରୁଖୁରୁରେ ସୌଦା କରୁଥିବା ସୌଦାଗରମାନଙ୍କ ପାଖରେ ଚାଟୁକାରିତା ଗୁଣ ଭରପୂର ହୋଇ ଅଛି ଏବଂ ତାଙ୍କ ଜିଭ ଏହି ଚାଟୁକାର ଯୁଦ୍ଧରେ ସେମାନଙ୍କର ପ୍ରମୁଖ ସାରଥି ସାଜିଛି ଏକଥା ଯଦି ଆପଣ ବୁଝି ନାହାନ୍ତି ତାହା ହେଲେ ଆପଣ ଦୁନିଆ ବିଷୟରେ ଅଧିକ ଜାଣି ନାହାନ୍ତି ବା ଦୁନିଆକୁ ବେଶ୍‌ ଭଲଭାବେ ବୁଝି ନାହାନ୍ତି ବୋଲି ଧରି ନିଅନ୍ତୁ।
ନିଜର କଥା କହିବାର ଅଦ୍ଭୁତ କଳା କୌଶଳ ଯୋଗୁ ଜୀବନ ହେଉ ବା କ୍ୟାରିୟର ଏ ସବୁର ଶିଡ଼ିକୁ ରକେଟ୍‌ ମାର୍କା ଗତିରେ ଚଢ଼ୁଥିବା ଏହି ଚାଟୁକାରମାନଙ୍କୁ ଆପଣ ସବୁଆଡ଼େ ପାଇବେ। ସରକାରୀ ହେଉ କି ବେସରକାରୀ ଅଫିସ୍‌, ଛୋଟ ଦୋକାନ ହେଉ କି ବଡ଼ କର୍ପୋରେଟ୍‌ ଅନୁଷ୍ଠାନ; ସବୁଠି ସବୁବେଳେ ଏହି ଚାଟୁକାର ଏବଂ ସେମାନଙ୍କର ଜିଭର କମାଲ ଆପଣ ଦେଖିବାକୁ ପାଇବେ। ନିଜର ଆତ୍ମ ପ୍ରଶଂସା କରି ଅନ୍ୟ ସହକର୍ମୀଙ୍କୁ ଛୋଟ କରି ବସ୍‌ ବା ଉପରିସ୍ଥ ଅଫିସରଙ୍କ ପ୍ରଶଂସା ତାଙ୍କ ମୁହଁ ଉପରେ କରି ଚାଟୁକାରମାନେ ନିଜର ନିତିଦିନର ଆବଶ୍ୟକତା ଯୋଗାଡ଼ କରିଦିଅନ୍ତି। ଆଉ ଏ ଦିଗରେ, ଏ ଚାଟୁକାରଙ୍କ ଜିଭ ସବୁବେଳେ କର୍ମବ୍ୟସ୍ତ ଥାଏ। ଏହି ଚାଟୁକାରମାନଙ୍କୁ ଅନ୍ୟମାନେ ତେଲିଆ, ବରାଦିଆ, ଯୋଗାଡ଼ିଆ ଆଦି ବିଶେଷଣ ସହ ସମ୍ବୋଧନ କରୁଥିଲେ ବି ଏମାନଙ୍କର ଏଥିପାଇଁ ଖାତିର ନ ଥାଏ। ବରଂ ଏହି ଈଶ୍ୱରଦତ୍ତ ଜିଭ ଏବଂ ଚାଟୁକାରିତା ଗୁଣକୁ ବ୍ୟବହାର କରି ସେମାନେ ନିଜ ପାଇଁ ଗୋଟାଇ ଚାଲନ୍ତି ଐଶ୍ୱର୍ଯ୍ୟର ହାତୀ ଘୋଡ଼ା ସବୁ। ନିଜ ମନ ମୁତାବକ ପୋଷ୍ଟିଂ ହେଉ ବା ନିଜ ବଦଳି ରୋକିବା, ପୁଣି କେତେବେଳେ ନିଜ ସହକର୍ମୀଙ୍କୁ ଖାଲରେ ପକାଇବା ଏସବୁ ବେଶ୍‌ ସହଜରେ କରିପାରନ୍ତି ଏହି ଚାଟୁକାରମାନେ ନିଜ ଜିଭର ପ୍ରୟୋଗ କରି। ଅଫିସରଙ୍କ ଅନୁପସ୍ଥିତିରେ ନିଜକୁ ହିଁ ଏକମାତ୍ର ଈଶ୍ୱର ବୋଲି କଳେବଳେ କୌଶଳେ ପ୍ରମାଣ କରିବାକୁ ଲାଗିପଡନ୍ତି ଏହି ଚାଟୁକାରମାନେ। ନିଜ ଦଳର ସବୁ ଟିକିନିଖି ଖବର ନିଜ ସଂସ୍ଥାର ମାଲିକଙ୍କୁ କହିବା ସହ ମାଲିକଙ୍କ ନଜରରେ ଜଣେ ସୁନାପିଲା ହୋଇ ରହୁଥିବା କାରଣରୁ ଗୋଟା ଅଫିସ୍‌ ଏପରି ଚରିତ୍ରଙ୍କୁ ଭୟ ଏବଂ ଘୃଣା କରୁଥିଲେ ବି ଏମାନଙ୍କର ଜିଭର ଦାଉରୁ ବଞ୍ଚତ୍ବାର କୌଣସି ବାଟ ନ ଥାଏ। ଆଉ ଅଫିସ୍‌ ଏବଂ ମାଲିକ ବି ଚାହାନ୍ତି ଯେ ଅଧିକରୁ ଅଧିକ ଚାଟୁକାର ସେମାନଙ୍କର ଚାରିପଟେ ଘୂରି ବୁଲନ୍ତୁ। ସମୟ ଅସମୟରେ ନିଜର ପ୍ରଶଂସା ଆଉ କାନକୁ ଆରାମ ଦେଉଥିବା ପରି ବାକ୍ୟ ଯଥା ‘ସାରଙ୍କ ପରି ଧର୍ମାତ୍ମା ମଁୁ କେଉଁଠି ଦେଖି ନାହିଁ, ଆପଣଙ୍କଠାରୁ ଯାହା ଶିଖିଛି ଅନ୍ୟମାନଙ୍କଠାରୁ ତାହା ଶିଖିପାରି ନ ଥାନ୍ତି’ ‘ଆପଣ ଅଛନ୍ତି ବୋଲି ଆମେ ଅଛୁ ନ ହେଲେ କେବେଠାରୁ ଭାସି ଯାଆନ୍ତୁଣି’ ପରି ବାକ୍ୟ କାହାକୁ ଶୁଣିବାକୁ ଭଲ ନ ଲାଗେ ଯେ?
ସବୁ ଚାଟୁକାର ଯେ ନିଜ ଅଫିସର, ନିଜ କମ୍ପାନୀ କିମ୍ବା ଅଫିସ୍‌ ପ୍ରତି ସମ୍ବେଦନଶୀଳ ବା ସେମାନଙ୍କର ଲକ୍ଷ୍ୟ ପ୍ରତି ସମର୍ପିତ ତାହା ନୁହେଁ। ସୁଯୋଗ ଦେଖି କେହି ନ ଥିଲାବେଳେ ଅନେକ ସମୟରେ ନିଜ ଅଫିସ ଆଉ ଅଫିସରଙ୍କର ଚଉଦ ପୁରୁଷ ଉଦ୍ଧାର କରନ୍ତି। ନିଜ ଅଫିସ୍‌ ଆଉ ଅଫିସରଙ୍କଠାରୁ ନିଜର ସ୍ବାର୍ଥ ସବୁ ହାସଲ କରି ସାରିଲା ପରେ ସେମାନଙ୍କୁ ମଦ ଘଡ଼ା ପରି ଗଡାଇ ଦିଅନ୍ତି। ସବୁ ମହୁ ଶୋଷି ସାରିଲାପରେ ଅନ୍ୟ ଗୋଟିଏ ଅଫିସ୍‌ ଛାଡି ଅନ୍ୟ ଅଫିସ୍‌ ପଳାଇ ଯାଆନ୍ତି। ଅଫିସର ଅବସର ନେଲା ପରେ ଏହି ଚାଟୁକାରମାନେ ତା’ ନାମ ହିଁ ଭୁଲି ଯାଆନ୍ତି।
ଏ ଚାଟୁକାରମାନଙ୍କର ସଂଖ୍ୟା ଏବଂ ସେମାନଙ୍କର ଅଧିକାରୀମାନଙ୍କୁ ତୋଷ କରିବାର କୌଶଳ ବେଶ୍‌ ଚିନ୍ତାଜନକଭାବେ ବଢ଼ି ଚାଲିଛି। ଅଫିସରଙ୍କ ଘର ପାଇଁ ପନିପରିବା କିଣି ଦେବା, ପୁଣି ସମୟ ଅସମୟରେ ଅଧିକାରୀଙ୍କ ମୋବାଇଲ ରିଚାର୍ଜ କରିବା ହେଉ କିମ୍ବା କେବଳ ଧର୍ମଘଟ ଦିନ ଆଗୁଆ ଅଫିସ୍‌ ପହଞ୍ଚିବା ହେଉ ଏମାନଙ୍କର ଫନ୍ଦିଫିକର ଏତେ ବ୍ୟାପକ ଯେ ଆପଣ ସେ ଚାଟୁକାରଙ୍କୁ ଟକ୍କରଦେବାକୁ ଚାହିଁଲେ ବି ପାରିବେନି। ଆପଣ ସେମାନଙ୍କ ସହ ଲାଗିଲେ ଆପଣଙ୍କର ହିଁ ରକ୍ତ ଚାପ ବଢ଼ିବ, ଅପଦସ୍ଥ ହେବେ ା ନିଜ ଜିଭର ଉପଯୋଗ କରି ବିଫଳତାକୁ ସଫଳତାରେ ଆଉ ସମସ୍ତଙ୍କର ଭାଗକୁ ନିଜ ଭାଗରେ ପରିବର୍ତ୍ତିତ କରିବାରେ ଏମାନେ ସତରେ ମାହିର।
ଏଭଳି ଚାଟୁକାରଙ୍କଠୁ ତଥାପି ପାର ପାଇଯିବାର କିଛି ସରଳ ଉପାୟ ରହିଛି। ଯେମିତି ଅଫିସ୍‌ରେ ଏମାନଙ୍କ ପାଖରେ ନିଜର ବ୍ୟକ୍ତିଗତ ସମସ୍ୟା ନ ଗପିବା, ନିଜ ଅଧିକାରୀଙ୍କ ବିରୋଧରେ କାହା ପାଖରେ ନ କହିବା, ଏମିତି କି ଅଫିସ୍‌ର କୌଣସି ନିଷ୍ପତ୍ତି ବିରୋଧରେ କେବେ ନ ଯିବା ଆଦି କାମ କଲେ ଏହି ଚାଟୁକାରରୂପୀ ପଙ୍ଗପାଳମାନେ କେବେ ବି ଆପଣଙ୍କ ରାସ୍ତାର ପ୍ରତିବନ୍ଧକ ହୋଇପାରିବେ ନାହିଁ। ଆପଣ ପ୍ରଗତିର ରାସ୍ତାରେ ବେଶ୍‌ ଦ୍ରୁତଗତିରେ ଦୌଡ଼ି ପାରିବେ।
ଧବଳଗିରି, ଯାଜପୁର ରୋଡ୍‌
ମୋ: ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri