୧୮ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବ ଏହି ୫ ଶବ୍ଦ ଥିବା ଟୁଇଟ୍‌

ଓ୍ବାଶିଂଟନ,୭।୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବେ। ୨୧ ମାର୍ଚ୍ଚ ୨୦୦୬ରେ କରାଯାଇଥିବା ଏହି ଟୁଇଟ୍‌ରେ ସେ ଲେଖିଥିଲେ ଯେ, ସେ ତାଙ୍କ ଟୁଇଟର ଆକାଉଣ୍ଟକୁ ପ୍ରସ୍ତୁତ କରୁଛନ୍ତି। (just setting up my twttr). ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ସବୁଠୁ ପ୍ରସିଦ୍ଧ ଟୁଇଟ୍‌।

ଟୁଇଟ୍‌ ବିକ୍ରି କରୁଥିବା ଓ୍ବେବ୍‌ସାଇଟ୍‌ https://v.cent.co/ ମାଧ୍ୟମରେ ଡୋର୍ସିଙ୍କ ଟୁଇଟ୍‌କୁ ନିଲାମ କରାଯାଉଛି। ଏହାକୁ କିଣୁଥିବା ବ୍ୟକ୍ତିଙ୍କୁ ଡୋର୍ସିଙ୍କ ଅଟୋଗ୍ରାଫ୍‌ ସହିତ ଟୁଇଟ୍‌ ସାର୍ଟିଫିକେଟ୍‌ ଦିଆଯିବ।

ରବିବାର ସକାଳେ ଡୋର୍ସି ଏହି ଟୁଇଟ୍‌କୁ ସବୁଠୁ ଅଧିକ ୧୮.୨ କୋଟିରେ ନିଲାମ ଲଗାଇଛନ୍ତି। ମାଲେସିଆର ଏକ କମ୍ପାନୀ ବ୍ରିଜ୍‌ ଓରାକିଲର ସିଇଓ ସିନା ଇଷ୍ଟଭୀ ଡୋର୍ସିଙ୍କ ଏହି ଟୁଇଟ୍‌ ପାଇଁ ଏତେ ପରିମାଣର ଅଫର ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟ ଜଣେ ଏହି ବ୍ୟକ୍ତି ଟୁଇଟ୍‌ ପାଇଁ ୧୪.୬ କୋଟି ଟଙ୍କା ନିଲାମ ଡାକିଥିଲେ।

ଡୋର୍ସିଙ୍କ ପ୍ରଥମ ଟୁଇଟ୍‌ କିଣିବାର ଅର୍ଥ ହେଉଛି ଯେ, ସେହି ଟୁଇଟ୍‌ ପାଇଁ କ୍ରେତାଙ୍କର ଏକ ଡିଜିଟାଲ ସାର୍ଟିଫିକେଟ ରହିବ। ସାମ୍ପ୍ରତିକ ସମୟରେ ଭର୍ଚୁଆଲ ସାମଗ୍ରୀ କ୍ରୟ ଏବଂ ବିକ୍ରୟ ଚାଲିଛି। କିଛି ଦିନ ପୂର୍ବରୁ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ୍‌କୁ ୪୮.୨ କୋଟିରେ ବିକ୍ରି କରାଯାଇଥିଲା। ଡୋର୍ସିଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କ ପାଇଁ ରହିବ। ଏହାକୁ କେତେଦିନ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ରଖିବାକୁ ଚାହୁଁଛନ୍ତି ତାହା ତହା ଡୋର୍ସି ଏବଂ ଟୁଇଟର ଉପରେ ନିର୍ଭର କରେ।

Share