Categories: ଜାତୀୟ

ଆଜି ଆସିପାରେ କଂଗ୍ରେସର ପ୍ରଥମ ଲିଷ୍ଟ:୪୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

ନୂଆଦିଲ୍ଲୀ,୮।୩:ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ୪୦ ଜଣିଆ ପ୍ରାର୍ଥୀ ତାଲିକା ଗୁରୁବାର ଚୂଡ଼ାନ୍ତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କେରଳର ଓ୍ବାୟନାଡ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଚୂଡ଼ାନ୍ତ ହୋଇଥିବା ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପୂବର୍ତନ ମନ୍ତ୍ରୀ ତମରାଧ୍ୱଜ ସାହୁ, କଂଗ୍ରେସ ସାଧାରଣ ସମ୍ପାଦକ(ସଂଗଠନ) କେ.ସି. ବେଣୁଗୋପାଳ ପ୍ରମୁଖ ରହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ସିଇସି ବୈଠକରେ ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୬୦ ଆସନ ଉପରେ ବିଚାରବିମର୍ଶ ହୋଇଥିଲା। ବୈଠକରେ ସୋନିଆ ଗାନ୍ଧୀ, ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। କେରଳରେ କଂଗ୍ରେସ ୧୬ଟି ଆସନରେ ଲଢ଼ିବାକୁ ଥିବାବେଳେ ଅନ୍ୟ ୪ ଆସନରେ ସହଯୋଗୀ ଦଳ ଲଢ଼ିବେ ବୋଲି ବିଧାୟକ ଦଳ ନେତା ଭି.ଡି. ସାଥିସାନ୍‌ କହିଛନ୍ତି। ୧୬ ପ୍ରାର୍ଥୀଙ୍କ ନାମ ଶୁକ୍ରବାର ଏଆଇସିସି ଘୋଷଣା କରିବ। ଦିଲ୍ଳୀର ୩ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ଥିବାବେଳେ ଏହା ଉପରେ ଆଲୋଚନା ହୋଇଥିଲା। ୧୧ ତାରିଖରେ ପୁଣିଥରେ ବିଚାରବିମର୍ଶ ପରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ ବୋଲି କୁହାଯାଇଛି।

Share