ଗଞ୍ଜାମ ଜିଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ,୧୫ା୭: ଗଞ୍ଜାମ ଜିଲାରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ଅଟନ୍ତି। ସେ ଭୁବନେଶ୍ୱରରେ ରହୁଥିବା ବେଳେ ସେଠାରେ ତାଙ୍କୁ ଜ୍ୱର ହୋଇଥିଲା। ସେ ନିଜ ଘର ଗଞ୍ଜାମ ଫେରିଥିଲେ। ଗତ ୧୩ ତାରିଖରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଡେଙ୍ଗୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ଗୁରୁବାର ରାତିରେ ମହିଳା ଜଣଙ୍କ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ବୋଲି ଜିଲା ସ୍ବାସ୍ଥ୍ୟଧିକାରୀ ଡା. ଉମାଶଙ୍କର ମିଶ୍ର ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ୨୦୨୨ରେ ଜିଲାରେ ୩୩୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।