ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି

ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍‌ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା ଜଜ୍‌ କୋର୍ଟରେ ଏସ୍‌ଡିଜେଏମ୍‌ଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉଭୟ ପକ୍ଷଙ୍କ ଓକିଲ ଅପିଲ କରିଥିଲେ। ଗତ ୨୭ ତାରିଖରେ ସୁମିତ ଓ ତପସ୍ବିନୀଙ୍କ ଓକିଲ କୋର୍ଟରେ ଉଭୟ ପକ୍ଷର ଯୁକ୍ତି ରଖିଥିଲେ। ଜିଲାଜଜ୍‌ ଯୁକ୍ତି ଶୁଣି ଜାନୁୟାରୀ ୪ରେ ଚୂଡ଼ାନ୍ତ ରାୟ ଦେବା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ପୂର୍ବରୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ପକ୍ଷରୁ ରୁଜୁ ହୋଇଥିବା ପିଟିଶନ ଉପରେ ପର୍ଯ୍ୟାୟ କ୍ରମେ ଶୁଣାଣି କରି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସୁମିତ ଏକ ଘର ଭଡା ନେଇ ତପସ୍ବିନୀଙ୍କୁ ରଖିବା ଏବଂ ତାଙ୍କର ସବୁ ଖର୍ଚ୍ଚ ବହନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଗତ ୨ ଓ ୯ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତପସ୍ବିନୀଙ୍କ ଓକିଲ ଜିଲା ଜଜ୍‌ କୋର୍ଟରେ ଅପିଲ କରିଥିଲେ। ଏସ୍‌ଡିଜେଏମ୍‌ ଦେଇଥିବା ନିର୍ଦ୍ଦେଶ ଖାରଜ କରିବା ପାଇଁ ଏଥିରେ ଅନୁରୋଧ କରାଯାଇଥିଲା। ଅନ୍ୟପଟେ ସୁମିତଙ୍କ ଓକିଲ ଜିଲା କୋର୍ଟରେ ଅପିଲ କରିଥିଲେ, ତପସ୍ବିନୀ ବଧୂ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ସେପଟେ କୋର୍ଟରେ ଛାଡ଼ପତ୍ର ମାମଲା ମଧ୍ୟ ବିଚାରାଧୀନ ରହିଛି। ଏଣୁ ତପସ୍ବିନୀ ସୁମିତଙ୍କ ସହିତ ରହିବା କେତେଦୂର ସମୀଚୀନ ହେବ ସେ ଦିଗରେ ବିଚାର କରିବାକୁ ଆବେଦନ କରାଯାଇଥିଲା। ସେହିପରି ତପସ୍ବିନୀଙ୍କ ପକ୍ଷରୁ ଦାଏର ହୋଇଥିବା ପିଟିଶନରେ ଉଲ୍ଲେଖ ଅଛି, ସୁମିତ ଓ ତପସ୍ବିନୀଙ୍କର ଛାଡ଼ପତ୍ର ହୋଇନାହିଁ। ବର୍ତ୍ତମାନ ପରିବାର କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଣୁ ଆଇନ ଅନୁସାରେ ତପସ୍ବିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ ଅନୁମତି ଦେବା ପାଇଁ ଜିଲା ଜଜ୍‌ କୋର୍ଟରେ ତାଙ୍କ ଓକିଲ ଅପିଲ କରିଥିଲେ। ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ଦୀପକ ପଟ୍ଟନାୟକ ଓ ସୁମିତଙ୍କ ତରଫରୁ ହାଇକୋର୍ଟର ଆଇନଜୀବୀ ଦେବସ୍ନାନ ଦାଶ ମକଦ୍ଦମା ପରିଚାଳନା କରୁଛନ୍ତି।
ତପସ୍ବିନୀଙ୍କ ବିରୋଧରେ ତାଙ୍କର ଶାଶୁ ଓ ଆଈଶାଶୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ଅନୁସାରେ ଏକ ପିଟିଶନ୍‌ ରୁଜୁ କରିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ତପସ୍ବିନୀଙ୍କୁ ନୋଟିସ କରିଥିଲେ। ମଙ୍ଗଳବାର ତପସ୍ବିନୀଙ୍କ ତରଫରୁ ଓକିଲ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ଆସନ୍ତା ୧୦ତାରିଖକୁ ସମୟ ମାଗିଛନ୍ତି। କୋର୍ଟ ତାହା ଗ୍ରହଣ କରିଛନ୍ତି। ସେହିପରି ମୂଳ ପିଟିଶନ୍‌ ଉପରେ ସୁମିତଙ୍କ ତରଫରୁ ମଧ୍ୟ ଆସନ୍ତା ୧୦ତାରିଖରେ ପକ୍ଷ ରଖାଯିବ ବୋଲି ଜଣାପଡିଛି।