Categories: ଖେଳ

ଆଜିଠୁ ଝୁଲଣଙ୍କ ବିଦାୟୀ ଦିନିକିଆ ସିରିଜ

ହୋଭ୍‌,୧୮ା୯: ରବିବାର ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଭାରତ ତଥା ବିଶ୍ୱର ସର୍ବାଧିକ ଉଇକେଟ ହାସଲକାରୀ ଝୁଲଣ ଗୋସ୍ବାମୀଙ୍କ ଏହା ଅନ୍ତିମ ସିରିଜ ହୋଇଥିବା ବେଳେ ଭାରତୀୟ ଦଳ ସିରିଜ୍‌ ଜିତିବାକୁ ଆପ୍ରାଣ ଉଦ୍ୟମ କରିବ। ଟି୨୦ ସିରିଜରେ ଉଭୟ ବ୍ୟାଟିଂ ଓ ଫିଲ୍ଡିଂରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଥିଲା। ଭାରତ ଏହି ସବୁ ଦୁର୍ବଳତା ଦୂରେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟିକା ହିଥର ନାଇଟଙ୍କ ସମେତ ୩ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବାକୁ ପ୍ରୟାସ କରିବ ହରମନପ୍ରୀତ କୌରଙ୍କ ଭାରତୀୟ ଦଳ। ତେବେ ଭାରତୀୟ ଦଳ ପାଇଁ ସବୁଠାରୁ ବଡ ସମସ୍ୟା ଭାବରେ ଉଭା ହୋଇଛି ଏହାର ମିଡିଲ ଅର୍ଡର ବ୍ୟାଟିଂ। ଟି୨୦ ସିରିଜରେ ସୁଯୋଗ ପାଇଥିବା ଦୟଲାନ ହେମଲତା ନିଜ ବ୍ୟାଟ ଜରିଆରେ ପ୍ରଭାବୀ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ। ଦ ହଣ୍ଡ୍ରେଡ୍‌ ଖେଳୁଥିବା ସମୟରେ ଆହତ ହୋଇଥିବା ଜେମିମା ରୋଡ୍ରିଗ୍ବେଜ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନଥିବା ବେଳେ ଭାରତୀୟ ବ୍ୟାଟିଂ ମୁଖ୍ୟତଃ ସ୍ମୃତି ମନ୍ଧାନା ଓ ହରମନ୍‌ପ୍ରୀତ କୌରଙ୍କ ଉପରେ ନିର୍ଭର କରିବ। ସେହିପରି ୟସ୍ତିକା ଭାଟିଆ ଓ ଶେଫାଳି ବର୍ମାଙ୍କ ଠାରୁ ମଧ୍ୟ ଦଳ ଭଲ ପ୍ରଦର୍ଶନ ଆଶା କରିବ। ୩ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଶେଫାଳି ବର୍ମାଙ୍କ ନିକଟରୁ ସ୍ଥିର ପ୍ରଦର୍ଶନ ଆଶା ରଖିବ ଭାରତୀୟ ମ୍ୟାନେଜମେଣ୍ଟ।

Share