Categories: ଖେଳ

ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍‌ରେ ଶେଷ

ବାସେଲ,୭ା୩(ପି.ଟି.): ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍‌ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ସେ ୧୨-୨୧, ୫-୨୧ରେ ପରାସ୍ତ ହୋଇଛନ୍ତି। ରବିବାର ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍‌ରେ ଶେଷ ହୋଇଥିଲା। ସ୍ପିଡ୍‌ ଓ ଆକ୍ୟୁରେସିରେ ସେ ମାରିନଙ୍କ ସମକକ୍ଷ ହୋଇପାରି ନ ଥିଲେ। ମାରିନ୍‌ଙ୍କଠାରୁ ସିନ୍ଧୁଙ୍କର ଏହା ହେଉଛି କ୍ରମାଗତ ତୃତୀୟ ପରାଜୟ। ସ୍ପାନିଶ ଖେଳାଳି ଜାନୁୟାରୀରେ ଥାଇଲାଣ୍ଡରେ ଉଭୟ ସୁପର ୧୦୦୦ ଇଭେଣ୍ଟ ଜିତିଥିଲେ। ପରେ ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସରେ ରନର୍ସ ଅପ୍‌ ହୋଇଥିଲେ। ବିଶ୍ୱର ୩ ନମ୍ବର ଖେଳାଳି ମାରିନ ଆହୁରି ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ଆଗକୁ ୮,୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ଭାଗ ନେବେ। ଏହି ସୁପର ୧୦୦୦ ଇଭେଣ୍ଟ ମାର୍ଚ୍ଚ ୧୭ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ।

Share