ମହାକାଶରେ ‘ଚ୍ୟାଲେଞ୍ଜ’ର ଶୁଟିଂ

ମସ୍କୋ, ୫ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ। ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ପୃଥିବୀ କକ୍ଷରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ର ଶୁଟିଂ ପାଇଁ ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୫ରେ ରୁଷିଆ ସ୍ପେସ୍‌କ୍ରାଫ୍ଟ ସୌୟୁଜ୍‌ ଏମ୍‌-୧୯ ଯୋଗେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ ଅଭିମୁଖେ ଯାଇଛନ୍ତି ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍‌ ଶିପେନ୍‌କୋ। ୩ଟି ସ୍ପେସ୍‌ ମିଶନର ଅନୁଭୂତି ଥିବା ମହାକାଶଚାରୀ ଆନ୍‌ଟୋନ୍‌ ଶ୍କାପ୍ଲେରୋଭ ମଧ୍ୟ ଉକ୍ତ ସ୍ପେସ୍‌କ୍ରାଫ୍ଟରେ ଯାତ୍ରା କରିଛନ୍ତି। କାଜାଖସ୍ତାନର ବୈକୋନୁରସ୍ଥିତ ରୁଷିଆର ସ୍ପେସ୍‌ ଲଞ୍ଚ ଷ୍ଟେଶନରୁ ଏହି ମହାକାଶ ଯାନ ବାହାରି ପୃଥିବୀ କକ୍ଷପଥରେ ପହଞ୍ଚିଛି।
ଜଣେ ମହିଳା ଡାକ୍ତରଙ୍କ କାହାଣୀ ଉପରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ ଆଧାରିତ। ଜଣେ ମହାକାଶଚାରୀ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଙ୍କୁ ସ୍ପେସ୍‌କୁ ଯିବାକୁ ପଡ଼ିଛି। ସ୍ପେସ୍‌ ଆଉଟ୍‌ପୋଷ୍ଟରେ ୧୨ ଦିନ ରହିବା ପରେ ସେମାନେ ରୁଷିଆ ମହାକାଶଚାରୀଙ୍କ ସହ ଭୂପୃଷ୍ଠକୁ ଫେରିବେ। ମହାକାଶରେ ଶୁଟିଂ ପାଇଁ ତାଙ୍କୁ ୪ ମାସ ଧରି ଟ୍ରେନିଂ ନେବାକୁ ପଡ଼ିଛି ବୋଲି ବହୁ ସଫଳ ଚଳଚ୍ଚିତ୍ର ନିର୍ମାଣ କରିସାରିଥିବା ୩୮ ବର୍ଷୀୟ ଶିପେନ୍‌କୋ କହିଛନ୍ତି। ଏହା ପୂର୍ବରୁ ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌ ସ୍ପେସ୍‌ରେ ତାଙ୍କ ଫିଲ୍ମ ‘ମିଶନ ଇମ୍ପ୍‌ପଶିବଲ’ ଶୁଟିଂ ପାଇଁ ଘୋଷଣା କରିଥିଲେ। ହେଲେ ଏବେ ସୁଦ୍ଧା ସେ ଏ ନେଇ କୌଣସି ଅପ୍‌ଡେଟ୍‌ ଦେଇ ନ ଥିବାରୁ ଆମେରିକା ପୂର୍ବରୁ ରୁଷିଆ ବାଜି ମାରିନେବ।

Share