ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ତଥା ପିଡ଼ିତାଙ୍କ ତୃତୀୟ ମା’ଙ୍କ ଭାଇକୁ ବିଚାରପତି ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ସୂଚନାନୁଯାୟୀ, ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ଅଙ୍ଗନଓ୍ବାଡି କେନ୍ଦ୍ରରୁ ଅଣ୍ଡା ଆଣିବାକୁ ଯାଉଥିବା ବେଳେ ଦୁଇଜଣ ଲୋକ ତାଙ୍କୁ ଟାଣି ନେବା ଯୋଗୁ ସେ ଚିତ୍କାର କରିଥିଲେ। ଗାଁ ଲୋକ ରୁଣ୍ଡ ହୋଇ ଦେଖିବା ବେଳେ ସେ ଦୁଇଜଣ ଲୋକ ନାବାଳିକାଙ୍କ ବାପା ଓ ତୃତୀୟ ମା’ଙ୍କ ଭାଇ ବୋଲି ଜଣାପଡିଥିଲା। ସେମାନେ ସ୍ବାସ୍ଥ୍ୟ ଖରାପ ଥିବାରୁ ଝିଅକୁ ନେଉଥିବା କହି ସେଠାରୁ ପଳାଇଥିଲେ। ରାତିରେ ଉକ୍ତ ପିଡ଼ିତାଙ୍କୁ ତାଙ୍କ ବାପା ଭୟଭୀତ କରି ଘର ଭିତରେ ବଳାତ୍କାର କରିଥିଲେ। ଏନେଇ ନାବାଳିକା ତାଙ୍କ ପ୍ରଥମ ମା’ଙ୍କ ଭାଇ ଅର୍ଥାତ୍ ମାମୁ ଓ ମାଇଁଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୯୨/୨୩ ରେ ପିଡ଼ିତାଙ୍କ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତ ମାମୁଙ୍କୁ ମଧ୍ୟ ଗିରଫ କରିଥିଲା। କିଛିଦିନ ପରେ ମାମୁଙ୍କୁ ଜାମିନ ମିଳିଥିଲା। ମାମଲାର ବିଚାର ବେଳେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶୁକ୍ରବାର ବିଚାରପତି ମାମଲାର ବିଚାର କରୁଥିବା ବେଳେ ପ୍ରମାଣ ମିଳିଥିବାରୁ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


