Categories: ଜାତୀୟ

୩ୟ କନ୍ୟା ସନ୍ତାନ ହେବାରୁ ଅଢ଼େଇ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକିଲା ବାପା

ନୂଆଦିଲ୍ଲୀ, ୧୩।୮: ତୃତୀୟ କନ୍ୟା ସନ୍ତାନ ହେବାରୁ ଏଥିରେ ନାରାଜ ପ୍ରକାଶ କରି ନିଜର ଅଢ଼େଇ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକି ଦେଇଛି କଳି ଯୁଗର ଜଣେ ବାପା। ଏହି ସ୍ପର୍ଶକାତର ଘଟଣାଟି ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଯାଇଛି। ତେବେ ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଓ ଦିଲ୍ଲୀ ପୋଲିସର ମିଳିତ ସହଯୋଗରେ ଶେଷରେ ଏହି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଡିସିଡବ୍ଲ୍ୟୁର ଅଧ୍ୟକ୍ଷ ସ୍ବାତୀ ମାଲିବାଲ୍‌ କହିଛନ୍ତି ଯେ, ଦିଲ୍ଲୀ ମହିଳା ଆୟୋଗରେ ଏନେଇ ଅଭିଯୋଗ ହେବାପରେ ପୋଲିସ ସହଯୋଗରେ ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ନିରୀହ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତୃତୀୟ ଝିଅ ଜନ୍ମ ହେବାରୁ ଏହି ଶିଶୁର ବାପା ତାକୁ ୪୦ ହଜାର ଟଙ୍କାରେ ବିକି ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏହି ଶିଶୁଟିକୁ ଇତିମଧ୍ୟରେ ୪ଜଣ ଲୋକ କିଣି ସାରିଥିଲେ। ଅପରପକ୍ଷରେ ଏହି ଘଟଣାରେ ପୋଲିସ ୫ ଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣ ମାନବ ଚାଲାଣକାରୀ ଗ୍ୟାଙ୍ଗ୍‌ ସହ ଜଡ଼ିତ ବୋଲି ଜଣାପଡ଼ିଛି।

Share