ଝିଅ କଳା ବୋଲି ତଡ଼ି ଦେଲେ ବାପା

ରୂପସା/ବସ୍ତା/ଲଙ୍ଗଳେଶ୍ୱର, ୧୬।୯(ଡି.ଏନ.ଏ.):ଝିଅର ରଙ୍ଗ କଳା ବୋଲି ବାପା ନିଷ୍ଠୁରତାର ସୀମା ଟପିଯାଇଛନ୍ତି। ଝିଅ ସହ ମା’ଙ୍କୁ ଘରୁ ତଡି ଦେଇଛନ୍ତି। ସେମାନେ ଅସହାୟ ଅବସ୍ଥାରେ ଘର ସମ୍ମୁଖରେ ଭୋକ ଉପାସରେ ବସି ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ତାଡ଼ଦା ଗ୍ରାମରେ।
ତାଡ଼ଦା ଗ୍ରାମର ଚନ୍ଦନ ଦାସ ୨୦୧୩ରେ ବସ୍ତା ଥାନା ଅଧୀନ ଜନ୍ତିକାପାଳ ଗ୍ରାମର ଜ୍ୟୋତ୍ସ୍ନା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହର ୨ ବର୍ଷ ପରେ ଜ୍ୟୋତ୍ସ୍ନାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ଲୋକଙ୍କ ରୋଷର ଶିକାର ହୋଇଥିଲେ ଜ୍ୟୋତ୍ସ୍ନା। ପରିବାର ଲୋକେ ଝିଅ ହେଉ ବୋଲି ଚାହୁଁ ନ ଥିଲେ। ଝିଅ ପୁଣି କଳା ହୋଇଥିବାରୁ ସବୁ ଦୋଷ ଜ୍ୟୋତ୍ସ୍ନାଙ୍କ ମୁଣ୍ଡରେ ଲଦି ଦିଆଯାଇଥିଲା। ସେହିଦିନଠାରୁ ଆରମ୍ଭ ହୋଇଥିଲା ଶାରୀରିକ ଏବଂ ମାନସିକ ନିର୍ଯାତନା। ଏମିତିକି ଗଁାଦାଣ୍ଡରେ ମା, ଝିଅଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍ବାମୀ, ଶାଶୁ, ନଣନ୍ଦ ମିଶି ମାଡ଼ ମାରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତିକି ତାଙ୍କୁ ଖାଇବା ପିଇବାକୁ ମଧ୍ୟ ଦେଉ ନ ଥିଲେ। ଗଣେଶ ପୂଜା ଦିନ ଜ୍ୟୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଲୀଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଝିଅର ଦେହ ସୁସ୍ଥ ହେବା ପରେ ଜ୍ୟୋତ୍ସ୍ନା ବୁଧବାର ସକାଳେ ଘରକୁ ଫେରିଥିଲେ। ମାତ୍ର ସ୍ବାମୀ ଚନ୍ଦନ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଫଳରେ ଉଭୟ ମା’, ଝିଅ ଅଖିଆ ଅପିଆ ଗେଟ୍‌ ସମ୍ମୁଖରେ ବସି ରହିଥିଲେ। ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ସେମାନେ ଆଶ୍ରୟ ନେଇଥିଲେ। ଗୁରୁବାର ସକାଳେ ମା, ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କୁ ମାଡ଼ ମାରିବା ସହିତ ଘର ଗେଟ୍‌ରେ ତାଲା ପକାଇ ପଳାଇଯାଇଥିଲେ। ତେବେ କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ୟାୟ ପାଇଁ ଅପେକ୍ଷାରେ ବସିଛନ୍ତି ଜ୍ୟୋତ୍ସ୍ନା। ଦୀର୍ଘଦିନ ଧରି ଚନ୍ଦନ ତାଙ୍କ ସ୍ତ୍ରୀଙ୍କୁ ଅଲଗା ରଖିଛନ୍ତି। ଗାଁ ଭଦ୍ରଲୋକ ଓ ବାପଘର ଲୋକଙ୍କୁ ନେଇ ବିଭିନ୍ନ ସମୟରେ ଆପୋଷ ସମାଧାନ କରାଯାଇ ଥିଲେ ହେଁ କୌଣସି ସୁଫଳ ମିଳିନି।