ବାପ-ଝିଅଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭଦ୍ରକ ଅଫିସ, ୧୬।୭: ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ ଗୁରୁବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ରକରି ବାପ-ଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଥିରେ ଗୁରୁତର ବାପ ଝିଅ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ଗ୍ରାମର ଲକ୍ଷ୍ମଣ ମିଶ୍ର ଓ ତାଙ୍କ ଝିଅ ମିନତିଙ୍କୁ ଆକ୍ରମଣ କରାଯାଇଛି। ଏ ନେଇ ଲକ୍ଷ୍ମଣଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା (ନଂ.୨୮୩/୨୧) ରୁଜୁ ହୋଇଛି। ଆକ୍ରମଣକାରୀଙ୍କ ପକ୍ଷରୁ କେତେଜଣ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଗ୍ରାମର ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବଶତ୍ରୁତା ଲାଗି ରହିଥିଲା। ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଲକ୍ଷ୍ମଣ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲେ। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।