ନିର୍ଦ୍ଧାରଣ ହେବ ୧୦୧୧ ପ୍ରାର୍ଥୀଙ୍କ ଭାଗ୍ୟ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.)

ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କଣିହଁା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚତ୍ସାରିଥିବାବେଳେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ସମସ୍ତ ବଳ ଲଗାଇଦେଇଛି ପ୍ରଶାସନ।
ଜିଲାର ଅନ୍ୟତମ ରାଜନୈତିକ ପ୍ରାଣକେନ୍ଦ୍ର ଛେଣ୍ଡିପଦା ବ୍ଲକର ୪ ଜୋନ୍‌ରେ ୧୪ ଜିଲା ପରିଷଦ ପଦବୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୩୪ ପଞ୍ଚାୟତରେ ୯୯ ସରପଞ୍ଚ ପ୍ରାର୍ଥୀ, ୮୧ ସମିତିସଭ୍ୟ ପ୍ରାର୍ଥୀ ଏବଂ ୮୧୭ ୱାର୍ଡସଭ୍ୟ ନିର୍ବାଚନ ଲଢୁଛନ୍ତି। ୧ଲକ୍ଷ ୨୬ହଜାର ୩୭୯ଭୋଟର ୧୦୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିଲାଗି ୪୩୨ ବୁଥ୍‌ କରାଯାଇଥିବାବେଳେ ମୋଟ୍‌ ୧,୭୨୮ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏତଦ୍‌ବ୍ୟତୀତ ୩୪ ସେକ୍ଟର ଅଫିସର, ୪ ରିଜର୍ଭ ଅଫିସର, ୪ ଜୋନାଲ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଅତିରିକ୍ତ ଅରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏସଡିପିଓ, ୬ ଇନ୍ସପେକ୍ଟରଙ୍କ ସମେତ ୧୫୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ପୂର୍ବାହ୍ନରେ ଛେଣ୍ଡିପଦାସ୍ଥିତ ବାପୁଜୀ ମହାବିଦ୍ୟାଳୟ ପରିସରରୁ ପୁଲିଂ ପାର୍ଟି ବାହାରି ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ସାରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ପଦବୀଗୁଡ଼ିକରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଛି। ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଭୋଟଗ୍ରହଣ ହେବ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବକ୍ସଗୁଡ଼ିକୁ ସିଲ୍‌ କରାଯାଇ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ।