ଧାନ ବୋଝେଇ ଟ୍ରାକ୍ଟର ରଖି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ପଦ୍ମପୁର,୧୧।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ମାସ ବିତି ଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରିଯାଇଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାର ପ୍ରତିବାଦରେ ଗୁରୁବାର ପଦ୍ମପୁର ଅଞ୍ଚଳର ଚାଷୀମାନେ ଧାନ ବୋଝେଇ ଟ୍ରାକ୍ଟର ଧରି ସ୍ଥାନୀୟ ଉପଜିଲାପାଳ ଅଫିସରେ ପହଞ୍ଚି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ଅଞ୍ଚଳର ବହୁସଂଖ୍ୟକ ଚାଷୀ ସାମିଲ ଥିବାବେଳେ ସ୍ଥାନୀୟ ବଣିକ ସଂଘ, ଓକିଲ ସଂଘ ଏବଂ ନାଗରିକ କମିଟି ଏହାକୁ ସମର୍ଥନ ଜଣାଇଛନ୍ତି।