ସାକାର ହେଉନି ଚାଷୀଙ୍କ ସ୍ବପ୍ନ

ବଇଣ୍ଡା,୩ା୪(ପରିକ୍ଷିତ ସାହୁ) ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ହସି ଉଠିବ ଜମି। ବର୍ଷ ସାରା ଫଳିବ ସୁନାର ଫସଲ। ଦୂର ହେବ ଚାଷୀଙ୍କ ଦୁରବସ୍ଥା। ଦୀର୍ଘବର୍ଷ ହେଲା ୫ଟି ଜଳସେଚନ ପ୍ରକଳ୍ପକୁ ନେଇ ଏପରି ସ୍ବପ୍ନ ଦେଖି ଆସୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀମାନେ। ହେଲେ ନିର୍ମାଣ ଆରମ୍ଭ ତ ଦୂରର କଥା ଏ ନେଇ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ବାରମ୍ବାର ସରକାରଙ୍କ ପକ୍ଷରୁ ସର୍ଭେ ଓ ବ୍ୟୟ ଅଟକଳ କରାଯାଉଥିଲେ ମଧ୍ୟ ପଦକ୍ଷେପ ସେତିକିରେ ଅଟକି ଯାଇଛି। ଫଳରେ ବ୍ଲକର ପ୍ରାୟ ୧୫ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରୁ ନ ଥିବାବେଳେ ଚାଷୀମାନଙ୍କ ସ୍ବପ୍ନ ସାକାର ହୋଇପାରୁ ନାହିଁ।

ପ୍ରକାଶ ଯେ, କିଶୋରନଗର ବ୍ଲକର ବାମୁର ପଞ୍ଚାୟତରେ ସୁରେଶ୍ୱରୀ, ଆମ୍ବପାଳ ପଞ୍ଚାୟତରେ ରଜାମୁଣ୍ଡା, ବିଲେଇନାଳୀ ପଞ୍ଚାୟତରେ ଧଉରାଗୋଠ, ଝରାବେରେଣୀ ପଞ୍ଚାୟତରେ ଗଦଗଦା ଓ ନୁନୁକାପଶି ପଞ୍ଚାୟତରେ ଗୁମୁଖି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ପାଇଁ ୧୯୨୮ରେ ଆଠମଲ୍ଲିକ ରାଜା ଆଡିବନ୍ଧ ନିର୍ମାଣ କରିଥିଲେ। ୨୦୦୪ ମସିହାରେ ସରକାରଙ୍କ ପକ୍ଷରୁ ବାମୁର ପଞ୍ଚାୟତର ଚାନ୍ତିଆମ୍ବତଇଳାଠାରେ ଭୂମିପୂଜା କରାଯାଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ବାମୁର, ଧଉରାପାଲି, ଜଏରାଟ, ଓଷ୍କାପାଲି, ରଣିଆକଟା ଓ କଦଳୀମୁଣ୍ଡା ପଞ୍ଚାୟତର ୫ ହଜାର ୪୦୨ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିଥାନ୍ତା। କିନ୍ତୁ ସର୍ଭେରେ ହିଁ କାର୍ଯ୍ୟ ଅଟକି ଯାଇଛି। ସେହିପରି ଧଉରାଗୋଠ ପ୍ରକଳ୍ପ ନିର୍ମାଣ ପାଇଁ ୧୯୭୦ରେ ସରକାର ଚିନ୍ତା କରିଥିବାବେଳେ ୨୦୦୦ ମସିହା ପରଠାରୁ ବାରମ୍ବାର ସର୍ଭେ କରାଯାଇଛି। ୧୯୯୮ ଓ ୨୦୦୮ରେ ବ୍ୟୟ ଅଟକଳ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ହୋଇପାରିଥିଲେ ଆଠମଲ୍ଲିକ ବ୍ଲକର ପେଡିପଥର, କୃତ୍ତିବାସପୁର, କୁରୁମଟାପ, ଠାକୁରଗଡ଼, କିଶୋରନଗର ବ୍ଲକର ଲୁହାମୁଣ୍ଡା, ଗାଁବଇଣ୍ଡା, ବିଲେଇନାଳୀ ପଞ୍ଚାୟତର ୬ ହଜାର ୨ଶହ ହେକ୍ଟର ଜମିକୁ ପାଣି ମାଡ଼ିଥାନ୍ତା। ସେହିପରି ନୁନୁକାପଶି ପଞ୍ଚାୟତର ଗୁମୁଖି ନାଳ ଉପରେ ଜଳସେଚନ ପ୍ରକଳ୍ପ ହୋଇଥିଲେ ୬୫୯ ହେକ୍ଟର ଜମିକୁ ଜଳ ମାଡ଼ିପାରିଥାନ୍ତା। ୨୦ ବର୍ଷ ଧରି ଦାବି ପରେ ଗତ ଫେବୃୟାରୀ ୨୮ ତାରିଖରେ ଏଥିପାଇଁ ସର୍ଭେ କରାଯାଇଛି। ଆମ୍ବପାଳ ପଞ୍ଚାୟତର ରଜାମୁଣ୍ଡା ନାଳ ଉପରେ ଜଳସେଚନ ପ୍ରକଳ୍ପ ପାଇଁ ୧୯୯୯ ଠାରୁ ଦାବି କରାଯାଉଛି। ଏହି ପ୍ରକଳ୍ପ ଯୋଗୁ ୯୮୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ସେହିପରି ଝରାବେରେଣୀ ପଞ୍ଚାୟତର ଗଦଗଦା ନାଳ ଉପରେ ପ୍ରକଳ୍ପ ନିର୍ମାଣ ପାଇଁ ୨୦୦୫ରୁ ଦାବି କରାଯାଉଛି। ଏଥିଯୋଗୁ ଝରାବେରେଣୀ, ଧଡ଼ରପାଳ ଓ ହିମିତିରା ପଞ୍ଚାୟତର ୨୨୫୬ ହେକ୍ଟର ଜମିକୁ ଜଳ ଯାଇପାରିଥାନ୍ତା। କିନ୍ତୁ ବାରମ୍ବାର ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଉପରୋକ୍ତ ୫ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

ମରୁଡ଼ିର ସମ୍ମୁଖୀନ ହେଉଛୁ
ରାଜାଙ୍କ ସମୟରୁ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀମାନେ ସ୍ବପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଉ ନାହିଁ। ଜମିକୁ ଆବଶ୍ୟକ ପାଣି ମିଳୁ ନ ଥିବାରୁ ମରୁଡ଼ିର ସମ୍ମୁଖୀନ ହେଉଛୁ।
-ତୀର୍ଥବାସୀ ଭୋଇ, ଜୀବନଜୀବିକା କମିଟି ସଦସ୍ୟ

ଶୀଘ୍ର ପ୍ରକଳ୍ପ ନିର୍ମାଣ କରାଯାଉ
ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୫୦ ବର୍ଷ ତଳେ ସରକାର ଚିନ୍ତା କରିଥିଲେ। ଏଥିପାଇଁ ପରିବେଶ ମଞ୍ଜୁରୀ ମିଳିସାରିଛି। ପଲ୍ଲିସଭାରେ ବିରୋଧ ଯୋଗୁ କାର୍ଯ୍ୟ ଆଗେଇପାରୁ ନାହିଁ। ସରକାର ଶୀଘ୍ର ନିର୍ମାଣ ଦିଗରେ ପଦକ୍ଷେପ ନିଅନ୍ତୁ।
-ଭଗବାନ ସାହୁ, ସଭାପତି, ଧଉରାଗୋଠ ଜଳସେଚନ କମିଟି

କେବଳ ସରକାରଙ୍କ ନିର୍ବାଚନୀ ଘୋଷଣା
କିଶୋରନଗର ବ୍ଲକରେ ୫ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲେ କୃଷି ଓ କୃଷକଙ୍କ ବିକାଶ ହୋଇଥାନ୍ତା। କିନ୍ତୁ ଭୋଟ ହାତେଇବା ପାଇଁ ସରକାର ଏପରି ଘୋଷଣା କରି ନୀରବ ରହିଯାଉଛନ୍ତି। ତୁରନ୍ତ ଏସବୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉ।
-ଭାଗୀରଥି ପ୍ରଧାନ, ଭାଜପା ନେତା

ସରକାର ତତ୍ପର ଅଛନ୍ତି
ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ତତ୍ପର ଅଛନ୍ତି। ଧଉରାଗୋଠ ପାଇଁ ପଲ୍ଲିସଭା ବାଧକ ସାଜିଛି। ସୁରେଶ୍ୱରୀ ପାଇଁ ପରିବେଶ ମଞ୍ଜୁରୀ ମିଳିନି। ପୁଣିଥରେ ପଲ୍ଲିସଭା କରାଯିବାକୁ ପ୍ରସ୍ତୁତି ହେଉଛି। ପରିବେଶ ଅନୁମତି ଆବେଦନ କରାଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ

ଚାଷ କାର୍ଯ୍ୟ ଆଗେଇପାରୁନି
ଜମିକୁ ପାଣି ମିଳୁନି। ଦରକାର ବେଳେ ବର୍ଷା ହେଉନି। ତେଣୁ ଚାଷ କାର୍ଯ୍ୟ ଆଗେଇପାରୁ ନାହିଁ। ୩୦ ବର୍ଷ ହେଲା ପ୍ରକଳ୍ପ ହେବ ବୋଲି ଶୁଣିଆସୁଛୁ। ଶିଳ୍ପ ଉପରେ ସରକାର ଧ୍ୟାନ ଦେଉଥିବା ବେଳେ କୃଷି କ୍ଷେତ୍ର ପ୍ରତି ଅବହେଳା କରୁଛନ୍ତି।
-ଫୁଲ ପ୍ରଧାନ, ଚାଷୀ

ଅଗ୍ରଗତି ପାଇଁ ଅବଗତ କରାଯିବ
ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପ୍ରତିଟି ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ତୁରନ୍ତ କିଭଳି ଏହି ପ୍ରକଳ୍ପଗୁଡ଼ିକର କାମ ଅଗ୍ରଗତି ହେବ ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ