ନଡ଼ା ପୋଡୁଥିବା ବେଳେ ଜିଅନ୍ତା ଜଳିଗଲେ ଚାଷୀ

ନୂଆପଡା ଅଫିସ, ୭।୩: ନିଜ ଜମିରେ ନିଆଁ ଲଗାଇ ଜଳିଗଲେ ଚାଷୀ। ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ସିନାପାଲି ମହାଜନପଡ଼ାରେ। ମୃତକ ଜଣକ ମହାଜନପଡ଼ାର ନୀଳାମ୍ବର ମେହେର(୫୫)। ଘଟଣାସ୍ଥଳରୁ ସିନାପାଲି ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ରବିବାର ନଡ଼ା ପୋଡିବା ପାଇଁ ନୀଳାମ୍ବର ଜମିରେ ନିଆଁ ଲଗାଇଥିଲେ। ଶୁଖିଲା ନଡ଼ାରେ ନିଆଁ ଲଗାଇବା ମାତ୍ରେ ବ୍ୟାପି ଯାଇଥିଲା। ଏପରିକି ଧୂଆଁ ଭର୍ତ୍ତି ହୋଇଯାଇଥିଲା। ନୀଳାମ୍ବର ଧୂଆଁ ଘେରରୁ ବାହାରି ନ ପାରି ତଳେ ପଡି ଯାଇଥିଲେ। ଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଖବର ପାଇ ସିନାପାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁରେ ପୋଡି ନୀଳାମ୍ବରଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଯୋଗ୍ୟ, ନୀଳାମ୍ବରଙ୍କ ବଡଭାଇ ଜଣେ ପକ୍ଷାଘାତ ରୋଗୀ ଥିଲେ। ଗତବର୍ଷ ଶୀତ ଦିନେ ରାତିରେ ପାଖରେ ନିଆଁ ଲଗାଇ ଶୋଇଥିଲେ। ହେଲେ ନିଆଁ ଉଠି ଖଟରେ ଲାଗିଯାଇଥିଲା। ଫଳରେ ସେ ଖଟ ସହ ଜଳି ଯାଇଥିଲେ।