ଜିଲାପାଳ, ସିଏସ୍‌ଓ କାର୍ଯ୍ୟାଳୟରେ ଧାନ ଗଦାଇଲେ ଚାଷୀ

ବରଗଡ଼ ଅଫିସ,୨୯ା୬: ରବି ଋତୁ ଯାଇ ଖରିଫ୍‌ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ମଣ୍ଡିରେ ଧାନ ଗ୍ରହଣ କରାଯାଉ ନ ଥିବାବେଳେ କେତେକ ମଣ୍ଡିରେ ପୂର୍ବରୁ ପଡ଼ିଥିବା ଧାନକୁ ମଧ୍ୟ ଉଠାଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ କିଛିଦିନ ତଳେ ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ରେଶମ, ସାହ୍ଲେପାଲି ଏବଂ ପ୍ରଧାନପାଲି ଅଞ୍ଚଳର ଚାଷୀମାନେ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ସେତେବେଳେ ଧାରଣାରତ ଚାଷୀଙ୍କୁ ସମସ୍ତ ଧାନ ଉଠାଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ସେହି ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟି ଯାଇଛି। ଏହାର ପ୍ରତିବାଦରେ ଉପରୋକ୍ତ ଅଞ୍ଚଳର ଚାଷୀମାନେ ସୋମବାର ଟ୍ରାକ୍ଟର ଯୋଗେ ଶତାଧିକ ବସ୍ତା ଧାନ ଧରି ଜିଲାପାଳ ଏବଂ ଜିଲା ଯୋଗାଶ ଅଧିକାରୀ (ସିଏସଓ) ଅଫିସରେ ପହଞ୍ଚିଛନ୍ତି। ସିଏସଓ ଅଫିସ ଭିତରେ ଧାନ ଭର୍ତ୍ତି ବସ୍ତା ପୂରାଇ ଦେଇଥିବା ବେଳେ ଜିଲାପାଳ ଅଫିସ ସମ୍ମୁଖରେ ମଧ୍ୟ ଧାନ ଗଦା କରି ଧାରଣାରେ ବସିଛନ୍ତି। ଆନ୍ଦୋଳନସ୍ଥଳରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି।