ଲ୍ୟାମ୍ପ କର୍ମଚାରୀଙ୍କୁ କାର୍ଯ୍ୟଳୟରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ

ପାଟଣା,୨୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ସମବାୟ ସମିତି କେନ୍ଦେଇ ପଶି ଶାଖା ଅଧୀନର ୨୨ ଜଣ ଚାଷୀ ଧାନ ବିକ୍ରିକରି ନ ପାରିବାରୁ ଲ୍ୟାମ୍ସ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ରେ ବସିଛନ୍ତି। ଏଥି ସହ ଉତ୍ତ୍ୟକ୍ତ ଚାଷୀମାନେ ଲ୍ୟାମ୍ପର ଦୁଇଜଣ କର୍ମଚାରୀ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତିମୟ ମିଶ୍ର ଓ ପିଅନ ଗଣେଶ୍ୱର ନାଏକଙ୍କୁ ଅଫିସ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଉକ୍ତ ୨୨ଜଣ ଚାଷୀଙ୍କର ଜାନୁୟାରୀ ୨୨ ତାରିଖ ରେ ଧାନ ବିକ୍ରି କରିବା ପାଇଁ ଟୋକୋନ ଆସିଥିଲା। ହେଲେ ଟାର୍ଗେଟ ନ ଥିବାରୁ ସେମାନଙ୍କର ଟୋକୋନ ଅବଧୀ ସରିଯାଇଥିଲା। ଏ ସମ୍ପର୍କରେ ଲ୍ୟାମ୍ପ ଏମ୍‌ଡି ହରମୋହନ ମହାନ୍ତଙ୍କୁ ପଚାରିବାରୁ ସେମାନଙ୍କର ଟୋକୋନ ଅବଧୀ ସରି ଯାଇଥିଲେ ହେଁ ପୁର୍ନବାର ସେମାନଙ୍କୁ ଟୋକୋନ ପ୍ରଦାନ କରିବାକୁ ସରକାରଙ୍କୁ ଲେଖାଯାଇଛି।