ଏହି ପ୍ରସିଦ୍ଧ ଅଭିନେତ୍ରୀ ଏଡ୍‌ସରେ ପୀଡ଼ିତା ହୋଇ ପଡ଼ିଥିଲେ ଦରଘା ବାହାରେ, ଶରୀରରେ ସାଲୁବାଲୁ ହେଉଥିଲେ ପୋକ…

ମୁମ୍ବାଇ,୨୨।୫: ଫିଲ୍ମ ଦୁନିଆରେ କେତେକ ଅଭିନେତା ଅଭିନେତ୍ରୀଙ୍କ କ୍ୟାରିଅର ଭଲ ଥିଲେ ମଧ୍ୟ ସେମାନଙ୍କ ଜୀବନ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛି। ଶେଷରେ ସେମାନଙ୍କର ମୃତ୍ୟୁ ଅତି ଦୁଃଖଦ ହୋଇଛି। ସେଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଦକ୍ଷିଣ ଫିଲ୍ମର ସୁପରଷ୍ଟାର ସୁନ୍ଦରୀ ନିଶା ନୁର୍‌। ୧୯୮୦ ଦଶକରେ ସେ ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ଥିଲେ। କମଲ ହାସନଙ୍କ ଭଳି ବହୁ ଖ୍ୟାତି ସମ୍ପନ୍ନ ଷ୍ଟାରଙ୍କ ସହିତ ନିଶା ଅଭିନୟ କରିଥିଲେ। ପରେ ଧୀରେଧୀରେ ତାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥିଲା। ଏହାପରେ ତାଙ୍କର ଦେଖା ନ ଥିଲା। କେହିଜଣେ ତାଙ୍କୁ ବୈଶ୍ୟାବୃତ୍ତିରେ ଲଗାଇ ଦେଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ୨୦୦୭ରେ ନିଶା ଏକ ଦରଘା ଆଗରେ ରୋଗଗ୍ରସ୍ତ ହୋଇପଡ଼ି ରହିଥିଲେ। ତାଙ୍କ ଶରୀରରେ ପୋକ ସାଲୁବାଲୁ ହେଉଥିଲେ। ତାଙ୍କୁ ଚିହ୍ନିବା କଷ୍ଟକର ହେଉଥିଲା। କିଛି ଲୋକ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ନିଶାଙ୍କୁ ଏଡ୍‌ସ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ଅତି ଦୁଃଖଦ ପରିସ୍ଥିତିରେ ନିଶାଙ୍କର ମୃତ୍ୟୁ ଘଟିଥିଲା। ୧୯୬୨ ସେପ୍ଟେମ୍ବର ୧୮ରେ ନିଶା ତାମିଲନାଡୁର ତାମ୍ବାରାମଠାରେ ଜନ୍ମ ଗ୍ରହଣ କରିଥିଲେ। ରୋଗଗ୍ରସ୍ତ ହୋଇ ୨୦୦୭ ଏପ୍ରିଲ୍‌ ୨୩ରେ ତାଙ୍କର ମୃତ୍ୟୁ ଘଟିଥିଲା।

Share