ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି । ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଜିଲାରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଢୋଲ ,ଘଣ୍ଟ, ଝାଞ୍ଜ ଶବ୍ଦ ସାଙ୍ଗକୁ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ କମ୍ପିଉଠିବାରେ ଲାଗିଛି ଗାଁଦାଣ୍ଡ। ସଭିଙ୍କ ଘରସମ୍ମୁଖରେ ପୂଣ୍ଣର୍ର୍କୁମ୍ଭ ବାଢି ମା’ଙ୍କ ଶରଣା ପର୍ଣ୍ଣ ହୋଇଛନ୍ତି ଭକ୍ତ । ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ରହିଥିବାବେଳେ ଏହାକୁ ପାଳନ କରିବା ବହୁ କଷ୍ଟ ସାଧ୍ୟ ଅଟେ । ବ୍ରତ ପାଳିବା ଦ୍ବାରା ଅସାଧ୍ୟ କାର୍ଯ୍ୟ ସାଧିତ ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ଅଘାଡ ବିଶ୍ବାସ ରହିଛି। ଆଉ ଏହି ବିଶ୍ବାସକୁ ନେଇ ଭକ୍ତମାନେ ଯେତେ କଷ୍ଟହେଲେ ବି ବ୍ରତ ପାଳନ କରୁଛନ୍ତି। ଗଞ୍ଜାମ ଜିଲାରେ ପ୍ରାୟ ଦୁଇଶହରୁ ଅଧିକ ଦଣ୍ଡଯାତ୍ରା ଦଳ ରହିଥିବାବେଳେ ପୁରୁଷୋତ୍ତମପୁର ସହରେ ତିନି ଗୋଟି ଦଣ୍ଡ ଯାତ୍ରାଦଳ ଧୋବା ପୁଞ୍ଜା, ବିପତ୍ତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା ରୁପରେ ରହିଛନ୍ତି। ଏଥିରେ ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭୂକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୨୧ ଦିନ କାଳ କଷାବସ୍ତ୍ରକୁ ପରିଧାନକରି ଶିବ କାଳୀଙ୍କୁ ସଙ୍ଗରେ ଧରି ସମଗ୍ର ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମମାନଙ୍କୁ ଖାଲି ପାଦରେ ଚାଲି ଚାଲି ଯାଇ ମାନସିକଧାରୀଙ୍କ ଦାଣ୍ଡରେ କଠୋର ନୃତ୍ୟମାନ ପରିବେଷଣକରି ମାନସିକ ପୂରଣ କରିବେ। ଯାହାକି ମଧ୍ୟ୍ୟାହ୍ନର ଟାଣ ଖରାରେ ଧୂଳି ଦଣ୍ଡ, ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ପାଣିଦଣ୍ଡ ଓ ଅର୍ଦ୍ଧ ରାତ୍ରରେ ଅଗ୍ନିଦଣ୍ଡ କରିବେ । ଏହି ୨୧ ଦିନକାଳ ଭକ୍ତମାନେ ଆମ୍ବ ପତ୍ରରେ ଦାନ୍ତ ଶୋଧିତ କରି, ଖୋଲା ଆକାଶ ତଳେ ଖରାରେ ବର୍ଷାରେ ନିଘାଞ୍ଚନ ସ୍ଥାନରେ ରହି ଦିନକୁ ମାତ୍ର ଗୋଟିଏଥର ନିଶବ୍ଦ ରାତ୍ରରେ ଅକଟା ଅବଟା, ଅଫୁଟା ଖାଦ୍ୟ ଖାଇବେ ଏହା ଆସନ୍ତା ମେଷ ସଂକ୍ରାନ୍ତିରେ ଉଦଯାପନ ଘଟିବ ।

