ମୃତଦେହ ପାଖକୁ ଆସିଲେନି ଘର ଲୋକେ

କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍‌.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହ ପାଖ ମାଡି ନ ଥିଲେ। ଏପରିକି ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସି ନ ଥିଲେ। ଗାଁ ଲୋକେ ମଧ୍ୟ କେହି ସହଯୋଗର ହାତ ବଢ଼ାଇ ନ ଥିଲେ। ଫଳରେ ମୃତଦେହ ଘର ବାରଣ୍ଡାରେ ପଡ଼ି ରହିଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବହୁ ଚେଷ୍ଟା ସତ୍ତ୍ୱେ କେହି ଶେଷକୃତ୍ୟ ଲାଗି ଆଗେଇ ଆସି ନ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶୁଆକାଟୀର ଲୋକପ୍ରତିନିଧି ଓ ସ୍ବେଚ୍ଛାସେବୀ ଆଗେଇ ଆସି ଅନ୍ତିମ ସଂସ୍କାର କରିଥିଲେ। ନାଏବ ସରପଞ୍ଚ ପଞ୍ଚାନନ ବାରିକ, ୱାର୍ଡମେମ୍ବର ସୌମ୍ୟରଞ୍ଜନ ସାହୁ ଓ ସାମାଜିକ କର୍ମୀ ଅଞ୍ଜନ କୁମାର ବେଜ ମୃତକଙ୍କ ଘରକୁ ଯାଇ ପିପିଇ କିଟ୍‌ ପିନ୍ଧି ବାରଣ୍ଡାରେ ପଡ଼ି ରହିଥିବା ମୃତଦେହକୁ ସତ୍କାର ପାଇଁ ନେଇଥିଲେ। ଶୁଆକାଟୀ କଲେଜ ପଡ଼ିଆ ପଛପଟେ ଅନ୍ତିମ ସତ୍କାର କରାଯାଇଥିଲା। ମୃତକଙ୍କ ପୁଅ ସୂର୍ଯ୍ୟକାନ୍ତ ସେଠୀ, ବାଂଶପାଳ ବିଡିଓ ଉଗ୍ରସେନ ଓରାମ, ତହସିଲଦାର ସପନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।