ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଏହେସାନ୍‌: ଅଖା ସିଲେଇ କରି ପରିବାର ଚଳାଉଛନ୍ତି

ଚମ୍ପୁଆ,୪।୧୨(ମହେଶ୍ୱର ଦାସ): ରବିବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି। ଏଭଳି କ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ହୋଇ ଦିବ୍ୟାଙ୍ଗମାନଙ୍କ ପ୍ରେରଣାର ଉତ୍ସ ପାଲଟିଥିବା ଯୁବକ ହେଉଛନ୍ତି ଚମ୍ପୁଆ ମୁସ୍‌ଲିମ ବସ୍ତିର ଏମ୍‌ଡି ଏହେସାନ୍‌ ଓରଫ ଲେଙ୍ଗେଡୁ(୩୪)। ସେ ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ୪ ଜଣଙ୍କୁ ରୋଜଗାର ଦେଇ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏହେସାନଙ୍କ କହିବା ଅନୁଯାୟୀ, ତାଙ୍କୁ ୩ ବର୍ଷ ହୋଇଥିବା ବେଳେ ଜ୍ୱର ହୋଇଥିଲା। ଜ୍ୱର ଭଲ ହେବା ପରେ ତାଙ୍କ ବାମଗୋଡ଼ଟି ପୋଲିଓରେ ଆକ୍ରାନ୍ତ ହୋଇଯାଇଥିଲା। ପିତା ଗୁଲ ମହମ୍ମଦ ଅନେକ ଟଙ୍କା ଖର୍ଚ୍ଚ କରାଇ ଚିକିସତ୍ା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ସେହିଦିନଠାରୁ ଏହେସାନ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ଆଣ୍ଠୁରେ ହାତ ଭରାଦେଇ ଚଲାବୁଲା କରିବା ସହିତ ସ୍ଥାନୀୟ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହେସାନଙ୍କ ସିଲେଇ ପ୍ରତି ଆଗ୍ରହ ରହିଥିବା ଦେଖି ତାଙ୍କ ବାପା ଏକ ସିଲେଇ ମେଶିନ ଘରକୁ ଆଣିଥିଲେ। ପରେ ୧୪ ବର୍ଷ ବୟସରେ ପ୍ଲାଷ୍ଟିକ ବୁରା(ଅଖା)ରେ ବ୍ୟାଗ୍‌ ସିଲେଇ କରି ହାଟରେ ବିକିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହେସାନ ପ୍ଲାଷ୍ଟିକ୍‌ ଅଖା ସିଲେଇ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଧାନଚାଷ ସମୟରେ ଧାନ ରଖିବା ପାଇଁ ଚାଷୀମାନେ ବୁରାକୁ ଗୁରୁତ୍ୱ ଦେଉଥିବା ଏହେସାନ ପ୍ଲାଷ୍ଟିକ ଅଖା ସିଲେଇ କରି ବେଶ୍‌ ଲାଭବାନ୍‌ ହୋଇପାରିଛନ୍ତି। ଏପରିକି ନିଜ ଘରେ ଏକ ଅଖା ସିଲେଇ କୁଟିର ଶିଳ୍ପ ନିର୍ମାଣ କରିବାରେ ସଫଳ ହୋଇପାରିଛନ୍ତି। ଦୈନିକ ୪ କାରିଗର ସିଲେଇ କାର୍ଯ୍ୟରେ ନିଯୁକ୍ତ ରହୁଥିବା ବେଳେ ଏହେସାନ ଏହାକୁ ହୋଲସେଲିଂ ଆକାରରେ ବିକ୍ରି କରି ବାର୍ଷିକ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛନ୍ତି। ଏଥିପାଇଁ ଆବଶ୍ୟକ ଅଖା ବାଲେଶ୍ୱର ଓ ମୟୂରଭଞ୍ଜ ଅଞ୍ଚଳରୁ ଆଣୁଥିବା ଏହେସାନ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ୨୦ରୁ ୨୫ ଜଣ ବେପାରୀ ତାଙ୍କଠାରୁ ବୁରା ହୋଲ୍‌ସେଲ୍‌ ରେଟ୍‌ରେ କିଣି ଗ୍ରାମାଞ୍ଚଳରେ ବିକୁଥିବା କହିଛନ୍ତି।