ଝାରସୁଗୁଡ଼ାରେ ରେଳରୋକୋ: ଅଟକିଲା ଏକ୍ସପ୍ରେସ

ଝାରସୁଗୁଡ଼ା ଅଫିସ,୧୮।୧୦: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ସାରାଦେଶରେ ଦିନିକିଆ ରେଳରୋକୋ ଡାକରା ଦିଆଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ତରଫରୁ ସଭାପତି ଭରତ ଅଗସ୍ତୀଙ୍କ ନେତୃତ୍ୱରେ ଝାରସୁଗୁଡ଼ା ରେଲଷ୍ଟେଶନରେ ରେଳରୋକୋ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର, ଲଖିମ୍‌ପୁରରେ ହୋଇଥିବା କୃଷକ ଗଣ ହତ୍ୟା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିଲା। ଏ ନେଇ ହାଓଡାରୁ ବମ୍ବେ ଅଭିମୁଖେ ଯାଉଥିବା ଦୂରନ୍ତ ଏକ୍ସପ୍ରେସକୁ ଅଟକାଇ ଦିଆଯାଇଥିଲା। ଷ୍ଟେଶନ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପରେ ଟ୍ରେନ ଚାଲିଥିଲା। ଆନ୍ଦୋଳନରେ ଜିଲା କଂଗ୍ରେସ କମିଟି ସଭାପତି ଭରତ ଅଗସ୍ତୀ, ସାଧାରଣ ସମ୍ପାଦକ ମନୀଷ ବାଜପେୟୀ, ଟାଉନ କଂଗ୍ରେସ କମିଟି ସଭାପତି ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।