ବିପଦରେ ଆର୍ଦ୍ରଭୂମି ଭିତରକନିକାର ଫିଶିଂ କ୍ୟାଟ୍‌

କେନ୍ଦ୍ରାପଡ଼ା ଅଫିସ, ୧ା୩: ଓଡ଼ିଶାର ଚିଲିକା ଓ ଭିତରକନିକାରେ ଫିଶିଂ କ୍ୟାଟ୍‌ ଦେଖାଯାଇଥା’ନ୍ତି। ଚିଲିକାରେ ଏହି ବିରଳ ଓ ବିଲୁପ୍ତପ୍ରାୟ ଜୀବଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦୁଇବର୍ଷିଆ ସଂରକ୍ଷଣ ସତ୍ତ୍ୱେ ଭିତରକନିକାରେ ଆଶାନୁରୂପ ସଂଖ୍ୟା ବଢ଼ୁନାହିଁ। ଏହି ପ୍ରାଣୀଙ୍କ ଶିକାର ସନ୍ଦେହ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଶେଷ ଆଗ୍ରହ ରଖିଥିବା ଅଧ୍ୟାପକ କ୍ଷିତୀଶ କୁମାର ସିଂହ କୁହନ୍ତି, ବିଲେଇଠାରୁ ଯଥେଷ୍ଟ ବଡ଼ ଓ ବାଘଠାରୁ ଛୋଟ ଆକାରର ଫିଶିଂ କ୍ୟାଟ୍‌ର ଆୟୁଷ ମାତ୍ର ୧୨ ବର୍ଷ। ଆବଶ୍ୟକ ପଡିଲେ ବତକ ପରି ଶବ୍ଦ କରିଥାଏ। ସାଧାରଣରେ ରାତ୍ରିଚର ହୋଇଥିବା ବେଳେ ପାଣିରେ ସମୟ ବିତାଇବା ପାଇଁ ପଛଗୋଡ ବା ପଞ୍ଝା ପରଦା ପ୍ରାୟ ୪ ଇଞ୍ଚ ଖୋଲିଯାଏ। ହେନ୍ତାଳବଣ ଅଞ୍ଚଳରେ ଏ ପ୍ରକାର ବିଲେଇଙ୍କୁ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ଭିତରକନିକାରେ କମ ସଂଖ୍ୟକ ଫିଶିଂ କ୍ୟାଟ ଅଛି। ୨୦୧୯ ପ୍ରାଣୀ ଗଣନା ସମୟରେ ଏମାନଙ୍କ ସଂଖ୍ୟା ମାତ୍ର ୨୦ ମଧ୍ୟରେ ସୀମିତ ଥିଲା। ତେବେ ଚିଲିକାରେ ଏମାନଙ୍କ ସଂଖ୍ୟା ୨୦୨୨ ରିପୋର୍ଟ ଅନୁଯାୟୀ ୧୩୦ରୁ ଅଧିକ ଅଛି। ଭିତରକନିକାରେ ଫିଶିଂ କ୍ୟାଟ୍‌ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ୨୦୨୦ ମସିହାରେ ୨ ବର୍ଷିଆ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାସତ୍ତ୍ୱେ ସଂଖ୍ୟା ବଢ଼ୁ ନ ଥିବା ଲକ୍ଷ୍ୟ କରାଯାଉଛି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ ହେନ୍ତାଳ ବନର ଭବିଷ୍ୟତ ଆକଳନ ପାଇଁ ପରିବେଶବିତ୍‌ମାନେ ସାଧାରଣରେ ଫିଶିଂ କ୍ୟାଟଙ୍କ ସଂଖ୍ୟା ଅନୁଧ୍ୟାନ କରିଥାନ୍ତି। ୧୯୭୨ର ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ପ୍ରଥମ ସିଡ୍ୟୁଲରେ ଥିବା ଏହି ପ୍ରାଣୀଙ୍କ ପାଇଁ ଭିତରକନିକାରେ ବିପଦ ବଢ଼ି ଚାଲିଛି। ସମୁଦ୍ର ତଟକ୍ଷୟ ହେନ୍ତାଳବଣ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନାଳଗୁଡିକର ଅସ୍ତିତ୍ୱ ଲୋପ ପାଉଛି ା ସେହିପରି ଆଇୟୁସିଏନର ରେଡ୍‌ ଡାଟା ଲିଷ୍ଟରେ ଥିବା ଏହି ଜୀବଙ୍କ ଉପରେ ଶିକାରୀଙ୍କ ଆଖି ପଡିଛି। ଏହାର ଚମଡ଼ା ମୂଲ୍ୟ ଅଧିକ ଥିବାରୁ ଆର୍ଦ୍ରଭୂମି ଅଞ୍ଚଳରେ ଲୁଚିଛପି ଶିକାର କରୁଛନ୍ତି। ଏହାବ୍ୟତୀତ ଭିତରକନିକା ଅଞ୍ଚଳ କୁମ୍ଭୀରପ୍ରବଣ ହୋଇଥିବାରୁ ସଂଖ୍ୟା ନ ବଢ଼ିବାର ଅନ୍ୟତମ କାରଣ। ଏହାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଫିଶିଂ କ୍ୟାଟ ନଦୀନାଳରୁ ବିଭିନ୍ନ ପ୍ରକାର ଜଳଜୀବଙ୍କୁ ଶିକାର କରିବା କ୍ଷମତା ରଖିଛି। ଏଥିସହ ବେଙ୍ଗ ଓ ଅନ୍ୟାନ୍ୟ ସ୍ଥଳଚର ଛୋଟ ଜୀବଙ୍କୁ ଏହି ପ୍ରାଣୀ ଶିକାର କରିପାରେ। ଶିକାର ପାଇଁ ମୁଖ୍ୟତଃ ପଞ୍ଝା ଓ ମୁହଁକୁ ବ୍ୟବହାର କରିଥାଏ। ଭିତରକନିକାର ପରିବେଶ ଅନୁଯାୟୀ ଏହି ପ୍ରାଣୀଙ୍କ ସଂଖ୍ୟା ଅଧିକ ରହିବା କଥା। ରାତ୍ର ସମୟରେ ବାହାରୁ ଥିବାରୁ ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପିଂ କରାଯାଉଛି। ଏମାନଙ୍କ ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା ଡିଏଫ୍‌ଓ ଯାଦବ ପ୍ରକାଶ କରିଛନ୍ତି।