ବୋତଲ ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅଧୀନ ଡେଲ୍‌ଟା ଛକସ୍ଥିତ ବିଅର୍‌ ପାର୍ଲରରେ ମଙ୍ଗଳବାର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି। ଗ୍ରାହକଙ୍କ ବୋତଲ ମାଡ଼ରେ ବାର୍‌ କର୍ମଚାରୀ ଅଶୋକ ବାରିକଙ୍କ ମୁଣ୍ଡ ଫାଟିଛି। ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ସୂଚନା ଅନୁଯାୟୀ, ଅପରାହ୍ନରେ ଅଶୋକ କାମ କରୁଥିବାବେଳେ କୌଣସି କାରଣକୁ ନେଇ ତାଙ୍କର ବାନ୍ତି ହୋଇଥିଲା। ଏତିକି ବେଳେ ସେଠାରେ ବିଅର ପିଉଥିବା ୪ଜଣ ଯୁବକ ତାଙ୍କୁ ବାନ୍ତି କରିବାକୁ ବାରଣ କରିଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ଅଶୋକଙ୍କ ମୁଣ୍ଡକୁ ବୋତଲରେ ପିଟିଦେଇଥିଲେ। ଫଳରେ ଅଶୋକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାଦେଖି ଯୁବକମାନେ ଘଟଣାସ୍ଥଳ ଛାଡ଼ି ଦୌଡ଼ି ପଳାଇଯାଇଥିଲେ।