ଯାତ୍ରୀଙ୍କୁ ଲିଫ୍ଟ ଆଳରେ ଲୁଟୁଥିଲେ

ରସୁଲପୁର,୨୬।୭(ଡି.ଏନ.ଏ.): କୁଆଖିଆ ଥାନା ପୋଲିସ ରବିବାର ଜଣେ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶୋ ଗ୍ରାମର ବ୍ରଜବନ୍ଧୁ ରଣା (୫୩)। ବ୍ରଜବନ୍ଧୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଲିଫ୍ଟ ଦେବା ଆଳରେ ନିଶା ଦେଇ ଲୁଟ୍‌ କରୁଥିଲେ। ତାଙ୍କ ନାମରେ କୁଆଖିଆ ଥାନାରେ ୨ଟି ମାମଲା ଥିବା ବେଳେ କଳିଙ୍ଗନଗର ଥାନାରେ ଆଉ ଏକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ଲୁଟେରା ଧର୍ମଶାଳା ବ୍ଲକ ଜେନାପୁର ଥାନା ଗଡ଼ମଧୁପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ। ପୋଲିସ ଭଡ଼ା ଘରୁ ତାଙ୍କୁ ଗିରଫ କରିଛି। ତାଙ୍କଠାରୁ ପୋଲିସ ୨ଟି ମୋବାଇଲ, ନିଶା ଔଷଧ, ଏକ ବାଇକ୍‌ ଜବତ କରିଛି। ଲୁଟେରା ଚୋରି ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ସମ୍ପର୍କୀୟଙ୍କୁ ବିକ୍ରି କରୁଥିଲେ। ପୋଲିସ ଖୋଳତାଡ କରିବାରୁ ୨ଟି ସ୍ଥାନରୁ ଚୋରି ସାମଗ୍ରୀ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମଧ୍ୟ। ସେମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା କାଲୁଣିଗୋଡା ଗ୍ରାମର ରବୀନ୍ଦ୍ର ବେହେରା(୬୧)। ପୋଲିସ ରବିବାର ତାଙ୍କୁ ଗିରଫ କରିଥିତ୍ବା ବେଳେ ତାଙ୍କଠାରୁ ସୁନା କାନଫୁଲ ଜବତ କରିଛି। ଅନ୍ୟଜଣେ ଏହି ଥାନା ବ୍ରାହ୍ମଣବାଚି ଗ୍ରାମର ଶିବ ପ୍ରସାଦ ନାଥ(୩୫)ଙ୍କୁ ଗତମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଥିଲା। ପୋଲିସ ଶିବଙ୍କଠାରୁ ଗୋଟିଏ ମୋବାଇଲ ଜବତ କରିଛି। ଏହି ମାମଲାରେ ପୋଲିସ ଲୁଟେରାଙ୍କୁ ମିଶାଇ ମୋଟ୍‌ ୩ଜଣଙ୍କୁ ଗିରଫ କରିଛି। ଲୁଟେରା ଚେର ବହୁତ ଲମ୍ବା ଥିବା ପୋଲିସ ସନ୍ଦେହ କରୁଛି।
ଅନ୍ୟ କେଉଁ ସବୁ ଥାନାରେ ତାଙ୍କ ନାଁରେ ମାମଲା ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।