ଦନ୍ତାହାତୀର ଜୀବନ ଗଲା

କେନ୍ଦୁଝର,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସୀମା ଅନୁଗୋଳ ପାଲଲହଡ଼ା ରେଞ୍ଜ ଅନ୍ତର୍ଗତ ଜୋକପାଣି ଗ୍ରାମ ନିକଟ ସରବେଡ଼ା ଜଙ୍ଗଲରୁ ବନ ବିଭାଗ ଏକ କୋଡ଼ିଏ ବର୍ଷ ବୟସ୍କ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ବିଷ କ୍ରିୟା କିମ୍ବା ରୋଗ ସଂକ୍ରମଣ କାରଣ ବୋଲି ଅନୁମାନ ହେଉଛି।

ଅନୁଗୋଳ ଡିଏଫ୍‌ଓ ଧନଜି ମେଜର, ରେଞ୍ଜ ଅଧିକାରୀ ଦୁର୍ଯ୍ୟୋଧନ ଜେରାଇ ସମେତ ଅନ୍ୟ ବନ ବିଭାଗ କର୍ମଚାରୀ ଅପରାହ୍ନରେ ପହଞ୍ଚି ନିରୀକ୍ଷଣ କରିଥିଲେ। ଦାନ୍ତ ବାହାର କରିବା ଓ ବ୍ୟବଚ୍ଛେଦ ପରେ ହାତୀକୁ ପୋତାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉକ୍ତ ଜଙ୍ଗଲରେ କିଛିଦିନ ମଧ୍ୟରେ ଦୁଇଟି ଦନ୍ତାହାତୀ ମୃତ୍ୟୁ ହୋଇଥିବା ବେଳେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଞ୍ଚଳରେ ହାତୀପଲ ଉପଦ୍ରବ ଚଲାଇ ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ କରୁଥିଲେ ହେଁ ବନ ବିଭାଗ ସୁରକ୍ଷା କିମ୍ବା ସଠିକ୍‌ କ୍ଷତିପୂରଣ ଦେଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।