Categories: ଜାତୀୟ

ଚଳନ୍ତା ବସ୍‌ ଉପରେ ରାଗ ଶୁଝାଇଲା ହାତୀ, ଭାଙ୍ଗିଲା ଝରକା; ଆଉ ତା’ ପରେ…

ଚେନ୍ନାଇ,୨୯ା୯: ଏକ ହାତୀ ଯେ, ରାଗିଲେ କ’ଣ ସବୁ କ୍ଷତି ଘଟାଇପାରେ ତାହାର ଝଲକ ଦେଖିବାକୁ ମିଳିଛି ଏକ ଭିଡିଓରେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ତାମିଲନାଡୁର ଏକ ହାତୀ ରାଗି କି ଯାତ୍ରୀ ଭର୍ତ୍ତି ଥିବା ବସ୍‌ରେ ହମ୍‌ଲା କରିଛି।

୨୫ ତାରିଖ ସକାଳେ ଜଣେ ଡ୍ରାଇଭର ଯାତ୍ରୀ ଭର୍ତ୍ତି ଥିବା ବସ୍‌ ଚଳାଇ ମେଟୁପାଲୟମ ଯାଉଥିଲେ। ବସ୍‌ରେ ଥିବା ଜଣେ ଯାତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଫୁଟେଜରେ ଦନ୍ତାହାତୀଟି ଶୁଣ୍ଢରେ ଝରକା ଭାଙ୍ଗିବା ସହ ଦାନ୍ତରେ କାଚ ଭାଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ବସ୍‌ରେ ବସିଥିବା ଯାତ୍ରୀମାନେ ଜୋର୍‌ରେ ପାଟି କରିଥିଲେ। ଝରକା ଭାଙ୍ଗିବା ପରେ ବି ହାତୀର ରାଗ ଶାନ୍ତ ପଡ଼ି ନ ଥିଲା। ସେ ପୁଣି ଶୁଣ୍ଢରେ ଆକ୍ରମଣ କରିବ ବୋଲି ଫେରି ଆସୁଥିଲା। ଏହା ଦେଖି ଡ୍ରାଇଭର ଜଣଙ୍କ ବସ୍‌ଟିକୁ ପଛକୁ ଫେରାଇଥିଲେ।

 

ଭିଡିଓକୁ ତାମିଲନାଡୁର ପରିବେଶ ତଥା ବନ ବିଭାଗ ସଚିବ ସୁପ୍ରିୟା ସାହୁ ଟୁଇଟରରେ ଶେୟାର କରି କହିଛନ୍ତି, ଏପରି ଜଟିଳ ପରିସ୍ଥିତିରେ ଡ୍ରାଇଭର ଶାନ୍ତ ରହିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ଅତ୍ୟନ୍ତ ପ୍ରଶଂସନୀୟ। ସେ ଆହୁରି ଲେଖିଛନ୍ତି, ନୀଳଗିରିରେ ଏହି ବସଚାଳକଙ୍କ ପ୍ରତି ବହୁତ ସମ୍ମାନ ରହିଛି। ଏତେ ଭୟଙ୍କର ସ୍ଥିତିକୁ ଆପଣ ହ୍ୟାଣ୍ଡେଲ କରିଛନ୍ତି। ଆପଣଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଆଦୌ ବିଚଳିତ ନ ହୋଇ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇଛନ୍ତି। ଧନ୍ୟବାଦ।

Share