ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୪।୧୧: ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଗୁରୁବାର ରାତିରେ ପ୍ରବେଶ କରିଥିବା ୩୦ରୁ ଊର୍ଦ୍ଧ୍ୱ ହାତୀ ସେଠାରେ ଆତଙ୍କ ଖେଳାଇ ଦେଇଛନ୍ତି। ଏପରି କି ଘଉଡ଼ାଇବା ବେଳେ ଜଣେ ଫରେଷ୍ଟ ଗାର୍ଡଙ୍କୁ ହାତୀ ପଲ ଦଳି ମାରିଦେଇଥିବା ସୂଚନା ମିଳିଛି। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ଗାର୍ଡଙ୍କ ପରିବାର ଲୋକେ ନ ଆସିବା ପର୍ଯ୍ୟନ୍ତ ସେଠାରୁ ମୃତଦେହ ଛଡ଼ାଯିବ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରିଛନ୍ତି।
ପ୍ରକାଶ ଯେ, ତାଳଚେର ରେଞ୍ଜ ବନ୍ଧାପଟରୁ ଏହି ହାତୀପଲ କୁଲାଡ଼ ଗାଁ ଭିତରକୁ ପଶିଆସିଛନ୍ତି। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ କୋଠାଘର ଛାତ ଉପରେ ରାତି କାଟୁଥିବା ଜଣାପଡ଼ିଛି। ଖବରପାଇ ଅନୁଗୋଳ ବନ ବିଭାଗର ୬ରୁ ୮ ଜଣ କର୍ମଚାରୀ କୁଲାଡ଼ରେ ପହଞ୍ଚି ତଡ଼ିବାକୁ ଚେଷ୍ଟା କରିବାବେଳେ ହାତୀ ଜଣେ ଗାର୍ଡଙ୍କୁ ଦଳି ମାରିଦେଇଛି। ମୃତ ଫରେଷ୍ଟ ଗାର୍ଡଙ୍କ ଘର ତାଳଚେର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଅଘଟଣ ପରେ ବନ କର୍ମଚାରୀମାନେ ଗାର୍ଡଙ୍କ ମୃତଦେହ ଧରି ଘଟଣାସ୍ଥଳରୁ ପଳାଇ ଆସିବାକୁ ଉଦ୍ୟମ କରିଥିଲେ ହେଁ ଗ୍ରାମବାସୀ ସେମାନଙ୍କୁ ଛାଡ଼ିନାହାନ୍ତି। ମୃତକଙ୍କ ପରିବାର ଲୋକେ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି କୁଲାଡ଼ବାସୀ ଅଡ଼ି ବସିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଡିଏଫ୍‌ଓ ବିବେକ କୁମାରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।