ରଥ ଦେଖି ଫେରିବା ବେଳେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଖଇରା,୧୦।୭(ଡି.ଏନ୍‌.ଏ.): ବଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ କୋହ୍ଲସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦ୍ରୌପଦୀ ହୋ(୪୫)। ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀ ଶନିବାର ସାରେ ମହୁଲପଙ୍ଖାରି ରଥ ଦେଖି ଫେରୁଥିବା ବେଳେ ୨ଟି ହାତୀ ସହ ମୁହାଁମୁହିଁ ହୋଇଥିଲେ। ଗୋଟିଏ ହାତୀ ତାଙ୍କୁ କଚାଡି ଦେବାରୁ ସେ ଗୁରୁତର ହୋଇ ପଡିଥିଲେ। ପାଟି ଶୁଣି ଗ୍ରାମବାସୀ ଉଦ୍ଧାର କରିବାକୁ ଆସିଥିଲେ ହେଁ ସେତେ ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଖବରପାଇ ରେଞ୍ଜର ବବିତା ସୋରେନ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ତୁରନ୍ତ ବନ ବିଭାଗ ତରଫରୁ ଉକ୍ତ ପରିବାରକୁ କ୍ଷତିପୁରଣ ଦେବାକୁ ପ୍ରାକ୍ତନ ସରପଞ୍ଚ ବିଷ୍ଣୁପଦ ଘଡେଇ ଦାବି କରିଛନ୍ତି।