ବାଇକ୍‌କୁ ଶୁଣ୍ଢରେ ଟେକି କଚାଡିଲା ହାତୀ

ପାଟଣା,୧୨।୧(ସ୍ବ.ପ୍ର.): କିଛିଦିନ ବ୍ୟବଧାନରେ ପୁଣି କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ ତୋଣ୍ଡ ବିଟ୍‌ ଅନ୍ତର୍ଗତ ସଡ଼ଙ୍ଗବାହାଳୀ ଗ୍ରାମରେ ଏକ ଗୋଠ ଛଡା ଦନ୍ତାହାତୀ ପଶି ଗ୍ରାମର ମଦନ ସୁନ୍ଦର ମହାନ୍ତଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରି ଦେଇଛି। ଏହା ସହ ଏକ ବାଇକ୍‌କୁ ଶୁଣ୍ଢରେ ଟେକି କଚାଡି ଭାଙ୍ଗିଦେଇଛି। ଘର ଭିତରେ ପରିବାର ଲୋକେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀଟି ଗୋଠ ଛଡା ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ଶୀଘ୍ର ହାତୀକୁ ଘଉଡାଇବା ପାଇଁ ଗ୍ରାମବାସୀ କହିଛନ୍ତି।