ଝିରପାଣିରେ ହାତୀ ଭାଙ୍ଗିଲା ପାଚେରି

ରାଉରକେଲା ଅଫିସ,୩।୩: ସୁନ୍ଦରଗଡ଼ ଜିଲା ବିଶ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀ ବୁଧବାର ଭୋର ସମୟରେ ଆସି ରାଉରକେଲା ଉପକଣ୍ଠରେ ଉପଦ୍ରବ କରିଛି। ଏହି ହାତୀ ଝିରପାଣି, ଜଗଦା ସମେତ ଏନ୍‌ଆଇଟି ପାର୍ଶ୍ୱାଞ୍ଚଳସ୍ଥ ରାଧାକୃଷ୍ଣ ମନ୍ଦିର, ବିଏସ୍‌ଏନ୍‌ଏଲ, ବିବାହ ସାମଗ୍ରୀ ବିକ୍ରୟ ଦୋକାନ, ଝିରପାଣି ଅଞ୍ଚଳର ୬ଜଣ ବାସିନ୍ଦାଙ୍କ ଘର ପାଚେରି ଭାଙ୍ଗି ଦେଇଛି। ଦନ୍ତା ଯୋଗୁ ଦିନତମାମ ଝିରପାଣି ଓ ଜଗଦା ଅଞ୍ଚଳବାସୀ ଭୟଭୀତ ଥିବା ଦେଖିବାକୁ ମିଲିଥିଲ। ଅନ୍ୟପଟେ ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ଦନ୍ତା ହାତୀ ଝିରପାଣି ଅଞ୍ଚଳରେ ଥିବା ସୂଚନା ପାଇ ଗୁରୁବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ୨ଜଣ ଫରେଷ୍ଟର, ୪ଜଣ ଗାର୍ଡ ଏବଂ ୧୬ଜଣ ସ୍କ୍ବାର୍ଡ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ରାତ୍ରି ୭ଟା ଯାଏ ଉକ୍ତ ହାତୀକୁ ଘଉଡାଇବା ସମ୍ଭବ ହୋଇ ନ ଥିଲା। ଖବର ଲେଖାଯିବା ଯାଏ (ରାତି ସାଢେ ୮ଟା) ହାତୀ ଆର୍‌ଏସ୍‌ କଲୋନୀ ପାହାଡରେ ରହିଥିଲା। ଏ ନେଇ ପାନପୋଷ ରେଞ୍ଜର ଲିମାଙ୍କୁ ପଚାରିବାରୁ ସକାଳୁ ହାତୀ ଘଉଡାଇବା କାର୍ଯ୍ୟ ଚାଲିଛି। ହାତୀ ୬ଜଣଙ୍କ ପାଚେରି ଭାଙ୍ଗିଛି। ମାତ୍ର କାହାର ଘରଦ୍ୱାର ଭାଙ୍ଗିନାହିଁ। ହାତୀକୁ ନଦୀ ପାରି କରି ବିଶ୍ରା ଜଙ୍ଗଲକୁ ଘଉଡାଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ।