Categories: ଜାତୀୟ

ଜିତିବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ୁଥିବି

ଗାନ୍ଧିନଗର,୨।୧୨: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ଶେଷ ହୋଇଛି। ବହୁ ରାଜନୈତିକ ଦଳ ରାଜ୍ୟ ଶାସନ କ୍ଷମତା ହାତେଇବାକୁ ଆଶାବାନ୍ଧି ବସିଛନ୍ତି। ଏପରିସ୍ଥିତିରେ ଗୁଜରାଟ ସବରକନ୍ଥା ଜିଲା ହିମତନଗର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ମଗନଭାଇ ସୋଲାଙ୍କି (୫୭)ଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି। ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ମଗନଭାଇ ନିଜ ୨.୫ ଫୁଟ୍‌ର ଦୀର୍ଘକାୟ ନିଶ ପାଇଁ ବେଶ୍‌ ଚର୍ଚ୍ଚିତ। ୨୦୧୭ରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିବା ମଗନଭାଇ କୌଣସି ଇଲେକ୍ସନ ଜିତି ନାହାନ୍ତି। ତାଙ୍କୁ ନିର୍ବାଚନ ଲଢ଼ିବା ପସନ୍ଦ ବୋଲି ସେ କୁହନ୍ତି। ଶେଷଥର ହିମତନଗର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ବିଧାୟକ ଥିବାବେଳେ ମଗନଭାଇ ଏହି ଆସନରୁ ଇଲେକ୍ସନ ଲଢ଼ୁଛନ୍ତି। ୫ରେ ହେବାକୁ ଥିବା ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଅବସରରେ ହିମତନଗରରେ ମତଦାନ କରାଯିବ।
ଲ୍ୟୁଟନାଣ୍ଟ ଭାବେ କାର୍ଯ୍ୟ କରୁଥିବା ମଗନଭାଇ ୨୦୧୨ରେ ଅବସର ନେଇଥିଲେ। ପ୍ରଥମଥର ପାଇଁ ବହୁଜନ ସମାଜ ପାର୍ଟି ତରଫରୁ ସେ ୨୦୧୭ରେ ହିମତନଗର ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହାପରେ ୨୦୧୯ ଲୋକ ସଭା ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେଲେ। ନିର୍ବାଚନ ପ୍ରଚାରରେ ଗଲାବେଳେ ଲୋକେ ତାଙ୍କ ନିଶକୁ ଦେଖିବା ପାଇଁ ଗହଳି ଜମାନ୍ତି। ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ତାଙ୍କ ନିଶକୁ ଦେଖି ଆକୃଷ୍ଟ ହେଉଥିବା ମଗନଭାଇ କୁହନ୍ତି। ଦୀର୍ଘକାୟ ନିଶ ବଢ଼ାଇବାର ନୁସ୍‌କା ମଧ୍ୟ କେହି କେହି ତାଙ୍କଠାରୁ ପଚାରି ବୁଝନ୍ତି। ନିଶର ଯତ୍ନ ପାଇଁ ଚାକିରି ସମୟରେ ସରକାର ତାଙ୍କୁ ଆର୍ଥତ୍କ ସହାୟତା ଯୋଗାଉଥିବାବେଳେ ଉଚ୍ଚାଧିକାରୀ ମଧ୍ୟ ତାଙ୍କ ନିଶକୁ ନେଇ ବହୁ ପ୍ରଶଂସା କରନ୍ତି। ଚଳିତବର୍ଷ ସେ ନିର୍ବାଚନ ଜିତିଲେ ନିଶ ରଖିବା ଲାଗି ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟରେ ଆଇନ ପ୍ରଣୟନ କରିବା ଲାଗି ସରକାର ନିକଟରେ ଦାବି କରିବେ। ଅନ୍ୟପକ୍ଷେ ରିଟାଏଡ୍‌ ସେନା ଅଧିକାରୀଙ୍କ ଅସୁବିଧା ପୂରଣ ସମ୍ପର୍କରେ ବିଧାନସଭାରେ ଦାବି ଉପସ୍ଥାପନ କରିବା କଥା ସେ କହିଛନ୍ତି। ଯେ ପର୍ଯ୍ୟନ୍ତ ନିର୍ବାଚନ ଜିତି ନାହାନ୍ତି ସେ ପର୍ଯ୍ୟନ୍ତ ମଗନଭାଇ ନିର୍ବାଚନ ଲଢ଼ୁଥିବେ ବୋଲି କହିଛନ୍ତି। ପ୍ରଥମଥର ତାଙ୍କୁ ୧୦୦୦ ଭୋଟ ମିଳିଥିବାବେଳେ ଲୋକ ସଭା ନିର୍ବାଚନରେ ୨୫୦୦ ସମର୍ଥକ ତାଙ୍କୁ ଭୋଟ ଦେଇଥିଲେ। ଚଳିତ ନିର୍ବାଚନରେ ତାଙ୍କୁ ଆହୁରି ଅଧିକ ଭୋଟ ମିଳିବ ବୋଲି ସେ ଆଶାୟୀ। ଏହି ବିଧାନସଭା ଆସନରୁ ଭାଜପା ଦଳୀୟ ପ୍ରାର୍ଥୀ ବିରେନ୍ଦ୍ରସିନ ଜାଲା, କଂଗ୍ରେସର କମଲେଶଭାଇ ପଟେଲ ଏବଂ ଏଏପି ପକ୍ଷରୁ ନିର୍ମଳସିନ ପରମାଲ ଚଳିତବର୍ଷ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି।

Share